ମୟୂରଭଞ୍ଜକୁ ଫେରିଲେଣି ୨୫ଶହରୁ ଊର୍ଧ୍ବ ପ୍ରବାସୀ, ଜିଲ୍ଲା ପାଇଁ ଚିନ୍ତା ବଢ଼ଉଛନ୍ତି ସୁରତ ଓ ପଶ୍ଚିମବଙ୍ଗ

ଆନ୍ଧ୍ରପ୍ରଦେଶରୁ ଫେରିଛନ୍ତି ସର୍ବାଧିକ ୭୮୬, ଗୁଜୁରାଟରୁ ୩୬୬, ପଶ୍ଚିମବଙ୍ଗରୁ ୨୩୨

ବାରିପଦା(ରାଜ କିଶୋର ଦାଶ): ମୟୂରଭଞ୍ଜ ପାଇଁ ଚିନ୍ତା ବଢ଼ଉଛନ୍ତି ସୁରତ ଓ ପଶ୍ଚିମବଙ୍ଗ ଫେରନ୍ତା। ଏଯାବତ୍ ଜିଲ୍ଲାରେ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ମାତ୍ର ସଙ୍ଗରୋଧ କେନ୍ଦ୍ରରେ ଥିବା ଆହୁରି କିଛି ସୁରତ ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଆଡ଼ୁ ଜିଲ୍ଲାପାଇଁ ଆଶଙ୍କା ରହିଛି। ଆଜିସୁଦ୍ଧା ଜିଲ୍ଲାକୁ ୨୫ଶହ ୩୮ଜଣ ପ୍ରବାସୀ ଫେରିସାରିଛନ୍ତି। ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ୭୮୬ଜଣ ପ୍ରବାସୀ ଜିଲ୍ଲାର ବିଭିନ୍ନ ବ୍ଲକକୁ ଫେରିଛନ୍ତି।

ସେହିପରି ଗୁଜୁରାଟରୁ ୨ୟ ସର୍ବାଧିକ ୩୬୬ଜଣ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ସଂଖ୍ୟାଧିକ ହେଉଛନ୍ତି ସୁରତ ଫେରନ୍ତା। ଏହି ସୂଚୀରେ ତେଲେଙ୍ଗାନାରୁ ୩୦୭ଜଣ ଫେରିଥିବା ବେଳେ ପଶ୍ଚିମବଙ୍ଗରୁ ୨୩୨ ଜଣ ଫେରିଛନ୍ତି। ହଟସ୍ପଟ ଅଞ୍ଚଳ ମହାରାଷ୍ଟ୍ରରୁ ୨୦୩ ଜଣ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ୨୭୪, କର୍ଣ୍ଣାଟକରୁ ୧୧୯, ତାମିଲନାଡ଼ୁରୁ ୧୧୫, ବିହାରରୁ ୧୩, ଚେନ୍ନାଇରୁ ୨, ଛତିଶଗଡ଼ରୁ ୯, କେରଳରୁ ୩୮, ମଧ୍ୟପ୍ରଦେଶରୁ ୨, ପଣ୍ଡିଚେରୀରୁ ୨, ରାଜସ୍ତାନରୁ ୩୭, ଉତ୍ତରପ୍ରଦେଶରୁ ୨୯, ଉତ୍ତରାଖଣ୍ଡରୁ ୪ଜଣ ମୟୂରଭଞ୍ଜକୁ ଫେରିଛନ୍ତି। ଏହି ସୂଚୀରୁ କିନ୍ତୁ ସୁରତରୁ ଫେରିଥିବା ୯ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗ ଫେରନ୍ତା ମଧ୍ୟ ଜିଲ୍ଲାପାଇଁ ଚିନ୍ତା ବଢ଼େଇଛନ୍ତି।

ଏହି ତାଲିକାରୁ ଆଜିସୁଦ୍ଧା ବେତନଟୀ ବ୍ଲକକୁସର୍ବାଧିକ ୨୭୦ଜଣ ଫେରିଥିବାବେଳେ କପ୍ତିପଦା ବ୍ଲକକୁ୨୧୮, ମୋରଡ଼ାକୁ ୨୦୫, ରାସଗୋବିନ୍ଦପୁରକୁ ୨ଶହ, ଉଦଳାକୁ ୧୫୭, ବଡ଼ସାହିକୁ ୧୧୨, ବାରିପଦା ବ୍ଲକକୁ ୯୫, ଗୋପବନ୍ଧୁନଗରକୁ ୯୬, କୁଳିଅଣାକୁ ୯୨ ଜଣ ଫେରିଛନ୍ତି। ଜିଲ୍ଲାର ୨୬ଟି ବ୍ଲକ୍ରେ ହୋଇଥିବା ଅସ୍ଥାୟୀ ମେଡିକାଲ୍ ସେଣ୍ଟର୍ରେ ଏମାନେ ସମସ୍ତେ ସଙ୍ଗରୋଧରେ ଅଛନ୍ତି। ସେହିପରି ଜିଲ୍ଲାର ଚାରି ପୌରାଞ୍ଚଳ ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁରକୁ ମଧ୍ୟ ମୋଟ ୧୪୯ଜଣ ପ୍ରବାସୀ ଫେରିଛନ୍ତି।

ଅବଶ୍ୟ ଅନ୍ୟ କୌଣସି ବ୍ଲକ୍ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ତାଲିକାରେ ନାହିଁ। କେବଳ କପ୍ତିପଦାରୁ ହିଁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ବାରିପଦା ଭଳି ବିଭିନ୍ନ ସ୍ଥାନକୁ ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀଙ୍କ ଉପରେ ଜିଲ୍ଲାପ୍ରଶାସନ ସତର୍କ ଦୃଷ୍ଟି ରଖିଛି। କାରଣ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ପଶ୍ଚିମବଙ୍ଗରୁ ଫେରୁଥିବା ବ୍ୟକ୍ତିମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଥିବାର ନଜିର୍ ରହିଛି। ତେଣୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଆଡ଼ୁ ମଧ୍ୟ ଜିଲ୍ଲାପାଇଁ ବିପଦ ରହିଛି।

ବିଭିନ୍ନ ରାଜ୍ୟରୁ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ରେ ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ସୁରତ ସମେତ ବିଭିନ୍ନ ସ୍ଥାନରୁ ବସ୍ କିମ୍ବା ନିଜସ୍ବ ବ୍ୟବସ୍ଥାରେ ମଧ୍ୟ ଲୋକମାନେ ସେମାନଙ୍କର ଜନ୍ମମାଟିକୁ ଫେରୁଛନ୍ତି। ତେବେ ଏହି ଫେରନ୍ତା ଯାତ୍ରା ବେଶ୍ କରୁଣ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଆନ୍ଧ୍ରପ୍ରଦେଶରୁ ମୁଣ୍ଡଫଟା ଖରାରେ ଆସୁଥିବା ପ୍ରବାସୀମାନଙ୍କର ଯାତ୍ରା ଅତ୍ୟନ୍ତ ଦୟନୀୟ ରହୁଥିବା ଦେଖାଯାଉଛି। ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ ସେମାନଙ୍କର ପଞ୍ଚାୟତରେ ହୋଇଥିବା କ୍ବାରାଣ୍ଟିନ୍ ସେଣ୍ଟର୍ରେ ସଙ୍ଗରୋଧରେ ରଖାଯାଉଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର