ଗୋଆରେ ଫସିଛନ୍ତି ଓଡ଼ଗାଁ ସୁନାମୁହିଁ ଗ୍ରାମର ୩୦ ଶ୍ରମିକ, ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ଭିଡିଓ ଜରିଆରେ କଲେ ନିବେଦନ, ଖାଇବାକୁ ପାଖରେ ପଇସା ନାହିଁ

ନୟାଗଡ଼/ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସୁନାମୁହିଁ ଗ୍ରାମର ୩୦ରୁ ଅଧିକ ଶ୍ରମିକ ଗୋଆର ଆଞ୍ଜୁନ୍‌ ଅଞ୍ଚଳରେ ଫସିଛନ୍ତି। ଦୁଇ ମାସ ତଳେ ଏହି ଶ୍ରମିକମାନେ ଗୋଆରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ। ପ୍ରକାଶ ନାୟକ, ଜିତୁ ନାୟକ, ଦିଲ୍ଲୀପ ନାୟକ, ପ୍ରଶାନ୍ତ ନାୟକ, ଅଶୋକ ନାୟକ ପ୍ରମୁଖ ଏକ ଭିଡିଓ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନିବେଦନ କରି ନିଜ ଘରକୁ ଫେରାଇ ଆଣିବାକୁ କହିଛନ୍ତି।

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ଗତ ୨୪ ତାରିଖରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଏହି ଶ୍ରମିକମାନେ ସେଠାରେ ସମସ୍ୟାରେ ପଡ଼ିଯାଇଛନ୍ତି। କରୋନା ପାଇଁ ସମସ୍ତ କାମ ଠପ୍‌ ହୋଇଯାଇଥିବାରୁ ଯେତିକି ଟଙ୍କା ନିଜ ପାଖରେ ସଞ୍ଚୟ କରି ରଖିଥିଲେ, ତାହା ମଧ୍ୟ ସରିଯାଇଛି। ଫଳରେ ପାଖରେ ଏବେ ଆଉ ଟଙ୍କା ନ ଥିବାରୁ ଖାଇବା ପିଇବା ଅସୁବିଧା ହେଉଛି। ଏମାନଙ୍କୁ ଏବେ ଉପବାସରେ ଦିନ କାଟିବାକୁ ପଡୁଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ବହୁ ସଂଖ୍ୟାରେ ଲୋକେ ଓଡ଼ିଶା ବାହାରେ ଫସିରହିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକ ବାହାରକୁ ତୀର୍ଥ କରିବାକୁ ଯାଇ ଫସିଥିବା ବେଳେ ଅନ୍ୟମାନେ ଚାକିରି କରୁଥିବାରୁ ଓଡ଼ିଶାକୁ ଫେରି ଆସିପାରି ନାହାନ୍ତି। ସେହିଭଳି ଓଡ଼ିଶାରୁ ଦାଦନ ଖଟିବାକୁ ଯାଇ ମଧ୍ୟ ତାମିଲନାଡୁ, ଆନ୍ଧ୍ୟପ୍ରଦେଶ, କେରଳ, ଗୋଆ, କର୍ଣ୍ଣାଟକ, ଗୁଜୁରାଟ, ମହାରାଷ୍ଟ୍ର ଆଦି ରାଜ୍ୟରେ ଫସିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର