ମହିଳାଙ୍କଠାରୁ ଝାମ୍ପି ନେଲେ ୩୦ ହଜାର

ପାଇକମାଳ, : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ପାଇକମାଳ ଛକରେ ସୋମବାର ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କଠାରୁ ଦୁର୍ବୃତ୍ତମାନେ ୩୦ ହଜାର ଟଙ୍କା ଝାମ୍ପି ନେଇ ଫେରାର୍‌ ହୋଇଯାଇଛନ୍ତି। ଘଟଣାଟି ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନାନୁସାରେ ବ୍ଲକ୍‌ର ଟେମରି ପଞ୍ଚାୟତ ଅନ୍ତର୍ଗତ ଖୁରସାପାଲି ଗାଁର ସୀତା ଭୋଇ ଗ୍ରୁପ୍‌ ପଇସା ଉଠାଇବାକୁ ସୋମବାର ପାଇକମାଳ ସ୍ଥିତ ବ୍ୟାଙ୍କ୍‌କୁ ଆସିଥିଲେ। ବ୍ୟାଙ୍କ୍‌ରୁ ୩୦ ହଜାର ଟଙ୍କା ଉଠାଇବା ପରେ ତାକୁ ଏକ ବ୍ୟାଗ୍‌ରେ ଧରି ଛକରେ ଥିବା ଏକ ହୋଟେଲ୍‌କୁ ଖାଇବାକୁ ଯାଉଥିଲେ।

ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ହାତରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ବାଇକ୍‌ରେ ଦ୍ରୁତ ଗତିରେ ନୂଆପଡ଼ା ରାସ୍ତାରେ ଫେରାର୍‌ ହୋଇଯାଇଥିଲେ। ଶହ ଶହ ଲୋକଙ୍କ ଆଗରେ ଘଟଣାଟି ଘଟିଥିଲେ ହେଁ ଦୁର୍ବୃତ୍ତଙ୍କୁ ଧରିବାରେ କେହି ସକ୍ଷମ ହୋଇ ନଥିଲେ। ଏ ନେଇ ରାତିରେ ଶ୍ରୀମତୀ ଭୋଇ ପାଇକମାଳ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଥାନା କେସ୍‌ ନଂ. ୧୭୨/୧୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର