ମାଓ ଭୟରେ ଆସିଲେନି, ୩୭.୭୫ପ୍ରତିଶତ ମତଦାନ

ମହୁପଦର ସମିତି ସଭ୍ୟ ନିର୍ବାଚନ

ମାଥିଲି,: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତଥା ଛତିଶଗଡ ସୀମାନ୍ତ ମହପୁପଦର ପଞ୍ଚାୟତ ସମିତି ସଭ୍ୟ ପଦବି ପାଇଁ ଆଜି ବିର୍ନାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତରେ ମୋଟ ୨୫୭୬ଜଣ ଭୋଟର ରହିଥିବା ବେଳେ ମାତ୍ର ୩୭.୭୫ପ୍ରତିଶତ ମତଦାନ ହୋଇଥିଲା। ଅନ୍ୟପଟେ ଏହି ନିର୍ବାଚନକୁ ମାଓବାଦୀ ମାନେ ବିରୋଧ କରି ମହୁପଦର ଗାଁରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିଲେ। ଏନେଇ ଜାଣିବା ପରେ ଭୟଭୀତ ହୋଇ ବହୁ ଭୋଟର ମତଦାନ କରିବାକୁ ନଆସିବାରୁ ମତଦାନ ହାର ହ୍ରାସ ପାଇଥିଲା। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ବଳୟରେ ଭୋଟ ଗ୍ରହଣ କରାଯାଇଥିଲା। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ମହୁପଦର ହାଇସ୍କୁଲ, ସେବାଶ୍ରମ ବିଦ୍ୟାଳୟ ଓ ଗୋଲିଆଗୁଡା ବିଦ୍ୟାଳୟରେ ୧୧ଟି ବୁଥ ଖୋଲାଯାଇଥିଲା।

ଏହି ନିର୍ବାଚନକୁ ବିରୋଧ କରି ଗତକାଲି ରାତିରେ ଛତିଶଗଡ କଙ୍ଗର ଘାଟି ଏରିଆ କମିଟିର କ୍ୟାଡର ମାନେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ନକରିବାକୁ ଲୋକଙ୍କ ମତ ରହିଥିଲେ ହେଁ ୩ପ୍ରମୁଖ ଦଳର ନେତା ମାନେ ଏହି ଅଞ୍ଚଳକୁ ଆସି ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ଧରାପଡିଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ। ସେହିପରି ବାଧ୍ୟବାଧ୍ୟକତାରେ ଭୋଟ ଦେଲେ ପ୍ରଜାକୋର୍ଟରେ ହାଜର କରି ଦଣ୍ଡ ଦିଆଯିବ ବୋଲି ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଭଳି ଧମକପୂର୍ଣ୍ଣ ମାଓ ପୋଷ୍ଟର ଦେଖିବା ପରେ ମତଦାନ କରିବାକୁ ଆସୁଥିବା ଲୋକେ ବାଟରୁ ହିଁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।

ମାଓ ଭୟରେ ଦଣ୍ଡିପଦର ନିମନ୍ତେ ଆୟୋଜିତ ଭୋଟ କେନ୍ଦ୍ରରେ ୨୫୧ଜଣଙ୍କ ମଧ୍ୟରୁ ୭ଜଣ ମତଦାନ କରିଥିଲେ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ମଧ୍ୟାହ୍ନ ୧୨ଟାରେ ସରିଥିଲା। ପରେ ନିର୍ବାଚନ ଅଧିକାରୀ ମାନେ ବାଲଟ ବକ୍ସ ସିଲ୍‌ କରି କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟକୁ ଆଣିଥିଲେ। ମାଥିଲି ଥାନା ଅଧିକାରୀ ବାମଦେବ ନନ୍ଦଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଆସନ୍ତାକାଲି ଭୋଟ ଗଣତି ହେବ ବୋଲି ମାଥିଲି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଅଗସ୍ତି ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର