କେରଳରୁ ଫେରୁଛନ୍ତି କନ୍ଧମାଳର ୩୮୨ ଜଣ ଶ୍ରମିକ, ଖୋର୍ଦ୍ଧା ଷ୍ଟେସନରୁ ସ୍ବତନ୍ତ୍ର ବସରେ ଅଣାଯିବ

ସମସ୍ତେ ରହି‌ବେ ୧୪ ଦିନ ପାଇଁ କ୍ବାରେଣ୍ଟାଇନ କେନ୍ଦ୍ରରେ  

ଫୁଲବାଣୀ: ବାହାର ଫେରନ୍ତାଙ୍କ ଘର ବାହୁଡା। ଆଜି କେରଳରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଓଡିଆ ଆସୁଛନ୍ତି ୧୧୫୦ ପ୍ରବାସୀ। ସେଥି ମଧ୍ୟରୁ କନ୍ଧମାଳର ୩୮୨ ଜଣ ଅଛନ୍ତି। ଆଜି ସଂଧ୍ୟାରେ କେରଳରୁ ଟ୍ରେନ ଛାଡିଥିବା କହିଛନ୍ତି ସେହି ଟ୍ରେନରେ ଆସୁଥିବା ଦାରିଙ୍ଗବାଡି ଅଞ୍ଚଳର ମନୋଜ କୁମାର ପ୍ରଧାନ ଓ ଅଜୟ କୁମାର ପ୍ରଧାନ। ନିଜ ନିଜ ଖର୍ଚ୍ଚରେ ସମସ୍ତେ ଆସୁଥିବା କଥା ସେ କହିଛନ୍ତି।  ଆସନ୍ତାକାଲି ସକାଳେ ଖୋର୍ଦ୍ଧା ଷ୍ଟେସନରେ ଟ୍ରେନ ପହଞ୍ଚିବ। ସେଠାରୁ ସ୍ବତନ୍ତ୍ର ବସ ଯୋଗେ ଶ୍ରମିକମାନଙ୍କୁ କନ୍ଧମାଳ ଅଣାଯିବ। ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ଚୁତି ହୋଇଛି। ସେମାନଙ୍କୁ ଆଣିବା ନିମନ୍ତେ ପ୍ରଶାସନ ଓ ପୁଲିସର ମିଳିତ ଏକ ଟିମ ଆଜି ସଂଧ୍ୟାରେ ଯାଇଥିବା ଜଣା ପଡିଛି।

କେରଳରୁ ଆସୁଥିବା ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଦାରିଙ୍ଗବାଡି, ଟିକାବାଲି, ରାଇକିଆ ଓ ଜି.ଉଦୟଗିରିର ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କନ୍ଧମାଳରେ ସେମାନେ ପହଞ୍ଚିବା ପରେ ପ୍ରତ୍ୟେକଙ୍କ ନିଜ ନିଜ ପଞ୍ଚାୟତରେ ଖୋଲା ଯାଇଥିବା କ୍ବାରେଣ୍ଟାଇନ ‌କେନ୍ଦ୍ରରେ ୧୪ ଦିନ ପାଇଁ ରଖାଯିବ। ପରିବାର ଲୋକ ହୁଅନ୍ତୁ କି ବାହାର ଲୋକ। ଏହି ସମୟ ମଧ୍ୟରେ କାହାରିବାକୁ ଦେଖା କରିବାର ସୁଯୋଗ ଦିଆଯିବ ନାହିଁ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଡାକ୍ତରୀ ଟିମଙ୍କ ପରାମର୍ଶ ଅନୁଯାୟୀ କାହାର ସ୍ବାବ ସଂଗ୍ରହ କରାଯିବ ସେ ନେଇ ସ୍ଥିର ହେବ। କ୍ବାରେଣ୍ଟାଇନ କେନ୍ଦ୍ରରେ ରହିବା,ଖାଇବା ସହ ସବୁ ପ୍ରକାର ସୁବିଧା କରାଯାଇଛି ବୋଲି କୁହାଯାଇଛି। ପ୍ରଶାସନ ତଥ୍ୟ ଅନୁଯାୟୀ କନ୍ଧମାଳକୁ ସମୁଦାୟ ୧୬ ହଜାର ୮୮୨ ଜଣ ପ୍ରବାସୀ ଫେରିବେ। ସେଥି ନିମନ୍ତେ ୧୨ହଜାରରୁ ଉର୍ଦ୍ଧ୍ବ ଜଣ ନାମ ପଞ୍ଜିରକଣ କରି ସାରିଲଣି।

ତେଲ ଖର୍ଚ୍ଚ ବି ଉଠିବନି, ଅଯଥା ଟେନସନ 

କରୋନା ଲକ୍ ଡାଉନ ବୃଦ୍ଧି ପାଉଛି। ଏଥି ଯୋଗୁ ଦୀର୍ଘ ଦେଢ ମାସ ହେଲା ବସ ଚଳାଚଳ ବନ୍ଦ ରହିଛି। ବସ ଚଳାଚଳ ବନ୍ଦ ଯୋଗୁଁ କନ୍ଧମାଳ ଜିଲ୍ଲାର ବସ ମାଲିକ ଓ କମର୍ଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଲିକମାନେ ବହୁ କଷ୍ଟରେ କିସ୍ତି ବାନ୍ଧିବା ସହ ଟାକ୍ସ ବି ଦେଉଛନ୍ତି। ପାରିଶ୍ରମିକ ନ ପାଇ କର୍ମଚାରୀମାନେ ଭୋକ କଷ୍ଟରେ ଦିନ କାଟୁଛନ୍ତି। ହେଲେ ଗତକାଲି କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ବୃଦ୍ଧି ଘୋଷଣା କରିବା ସମୟରେ ଗ୍ରୀନ ଜୋନ ଥିବା ଜିଲ୍ଲାରେ ବସ ଚଳାଚଳ କରି ପାରିବ ବୋଲି କହିଥିଲେ। ହେଲେ ଏଥି ନିମନ୍ତେ ସର୍ତ୍ତ ଥିଲା ବସରେ ଆବଶ୍ୟକତାଠାରୁ ଅଧା‌ ଯାତ୍ରୀ ଯିବେ। ତାଠାରୁ ଅଧିକ ଯାତ୍ରୀ ନେବାକୁ ମନା।

ସରକାରଙ୍କ  ଏଭଳି ନିଷ୍ପତ୍ତିକୁ ହଜମ କରି ପାରୁ ନାହାନ୍ତି ବସ ମାଲିକ। ଅଧା ଯାତ୍ରୀଙ୍କୁ ନେଲେ ତେଲ ଖର୍ଚ୍ଚ ଉଠିବ ନାହିଁ। ଯଦି ବାଟରେ କେହି ଜବରଦସ୍ତ ବସରେ ଉଠନ୍ତି ତାହା ହେଲେ ଗାଡିକୁ ପୁଲିସ ସିଜ କରିବ ଏବଂ କର୍ମଚାରୀଙ୍କୁ ନେଇ ଥାନାରେ ପୁରାଇବ। ଏଥି ସହ କେହି ଯଦି କରୋନା ସଂକ୍ରମିତ ବସରେ ଚଢନ୍ତି ତାହା ହେଲେ ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ସବୁଠାରୁ ବଡ କଥା ହେଲା ବସର କର୍ମଚାରୀ ବି ଏହା ଦ୍ବାରା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଅଧା ଯାତ୍ରୀକୁ ନେଇ ବସ ଚାଲିଲେ ଏକରେ ତ ତେଲ ଖର୍ଚ୍ଚ ଉଠିବ ନାହିଁ। ଆଉ କର୍ମଚାରୀଙ୍କୁ ପାରିଶ୍ରମିକ ଦେବା ସମ୍ଭବ ହେବ ନାହିଁ। ବାକି ଆଉ ସବୁ ସମସ୍ୟା‌ ରହିଛି।

କାହିକି ଅଯଥା ଟେନସନ ନେବୁ। ତେଣୁ ଏଭଳି ପରିସ୍ଥିତିରେ ବସ ଚଳାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି ଫୁଲବାଣୀ ଘରୋଇ ବସ ମାଲିକ ସଂଘର ସଭାପତି ପ୍ରଶାନ୍ତ କୁମାର ପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ। ବସ ଚଳାଚଳ ନ ହେବା ଯାଏ ଅନ୍ୟମାନଙ୍କ ଭଳି କର୍ମଚାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିତ୍ୟାନ୍ତ ଦରକାର ବୋଲି ସେମା‌ନେ କହିଛନ୍ତି। କନ୍ଧମାଳରେ ୫୦ରୁ ୬୦ ଖଣ୍ଡ ଘରୋଇ ବସ ଚଳାଚଳ କରି ଆସୁଛନ୍ତି। ଲକ୍ ଡାଉନ କଟକଣା ଅନୁଯାୟୀ ବସରେ ଅଧା ଯାତ୍ରୀ ନେଇ ହେବ। ସେଥି ପୁଣି ଭୁବନେଶ୍ବର ଓ ବ୍ରହ୍ମପୁର ଏବଂ ଅନ୍ୟ ଦୁର ସ୍ଥାନକୁ ବସ ଗଡି ପାରିବ ନାହ‌ିଁ।

ସମ୍ବନ୍ଧିତ ଖବର