ଗଞ୍ଜେଇ ଚୋରା ବେପାରକୁ ନେଇ ଯୁବକଙ୍କୁ ହତ୍ୟା, ୪ ଗିରଫ

ନବରଙ୍ଗପୁର: ଗଞ୍ଜେଇ ଚୋରା ବେପାରକୁ ନେଇ ଗତ ୨୮ ତାରିଖରେ ନବରଙ୍ଗପୁର ଥାନା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡର ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ପୁଲିସ ରକ୍ତ ଲାଗିଥିବା ଏକ ଖଣ୍ଡା ଓ ଏକ ଡଷ୍ଟର କାର ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୮ ତାରିଖରେ ନବରଙ୍ଗପୁର ଥାନା ଅନ୍ତର୍ଗତ ଆର କେ କଲୋନିର ପ୍ରଦୀପ ଅଗ୍ରଓ୍ଵାଲଙ୍କୁ ଘରେ ପଶି କେତେକ ଦୁୁର୍ବୃତ୍ତ ହତ୍ୟା କରିଥିଲେ। ଏ ନେଇ ଦଫା ୪୫୦/୩୦୨/ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ଗଞ୍ଜେଇ ଚୋରା ବେପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହେବା ସହିତ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ତଦନ୍ତ କରି ପୁଲିସ ଗଧବଗୁଡ଼ାର ସେକ୍‌ ସମିମ, ତାଙ୍କ ଭାଇ ସେକ ସିତାବ, ସେନାପତିଷ୍ଟ୍ରିଟ୍‌ର ରାକେଶ ଭଦ୍ରା ଓ ଜମାତ କଲୋନିର ସୁଜିତ ପଣ୍ଡା ଓରଫ ରାଜା ଏଥିରେ ସମ୍ପୃକ୍ତ ଥିବା ଜାଣିବା ପରେ ସେମାନଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ସହିତ ଗଞ୍ଜେଇ ଚୋରା କାରବାରରେ ବ୍ୟବହୃତ ଏକ ଡଷ୍ଟର କାରକୁ ଜବତ କରିଛି ପୁଲିସ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟଅ୍ରଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର