ରାୟଗଡ଼ା: ଚଇତି ଯାତ୍ରା ହେଲା ଶେଷ ଯାତ୍ରା, ଗଛରେ ପିଟିହେଲା ବୋଲେରୋ, ୪ ମୃତ, ୨ ଗୁରୁତର

ରାୟଗଡ଼ା: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ଘରକୁ ଏକ ବୋଲେରୋରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି ଯାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଛି। ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କାଶିପୁର ବ୍ଲକ୍‌ର କାଶିପୁର, ମୁଣ୍ଡାଗୁଡ଼ା ଓ ଡେଙ୍ଗାଗୁଡ଼ା ଗାଁର କେତେକ ଯୁବକ ରାୟଗଡ଼ାଠାରେ ଚାଲିଥିିବା ଚଇତି ଉତ୍ସବ ଦେଖିବାକୁ ଆସିଥିଲେ। ସେମାନେ ବିଳମ୍ବିତ ରାତିରେ ଓଡ଼ି ୦୨ ଏସ ୯୨୪୩ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯୋଗେ ଗାଁକୁ ଫେରୁଥିବା ବେଳେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ତୋୟାପୁଟ ନିକଟରେ ବୋଲେରୋ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବୋଲେରୋଟି ଯାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋଟ୍‌ ୪ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା। ବୋଲେରୋରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମବାହୀନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ବର୍ତ୍ତମାନ ଆହତଦ୍ୱୟଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ଯୁବକମାନେ ହେଲେ ରବି ମାଝି, ନବୀନ ମାଝି, ନାବି ମାଝି ଓ ପପୁ ମୁଦୁଲି। ରବି, ନାବି ଓ ପପୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ ନବୀନଙ୍କର ମୃତ୍ୟୁ ଘଟିିଥିବା କୁହାଯାଉଛି। ରବି, ପପୁ ଓ ନାବିଙ୍କ ଘଣ ଡେଙ୍ଗାଗୁଡ଼ା ହୋଇଥିବା ବେଳେ ନବୀନଙ୍କ ଘର ପଣସଗୁଡ଼ା ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର