ରାୟଗଡ଼ା:୪୦ ଜଣ ଗଣୁଛନ୍ତି ମାଆ ମଝିଘରିଆଣିଙ୍କ ଟଙ୍କା

ରାୟଗଡ଼ା: ୫ ମାସର ବ୍ୟବଧାନ ପରେ ଆଜି ପୁଣି ଥରେ ରାୟଗଡ଼ାର ପ୍ରସିଦ୍ଧ ମା ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିରେ ଥିବା ଟଙ୍କା ଗଣା ଆରମ୍ଭ ହୋଇଛିି। ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରାୟଗଡ଼ା ଶାଖା, ସତ୍ୟସାଇ ସେବା ସଂଘ ଓ ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ୪୦ ଜଣ ସଦସ୍ୟ ଏହି ଟଙ୍କା ଗଣିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତିି। ଟଙ୍କା ଗଣା ହେବା ସ୍ଥଳରେ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ରାଇସିଂ ବିଡ଼ିକା ଓ ସୁପରିଟେଣ୍ଡେଣ୍ଟ ଜନାର୍ଦ୍ଦନ ରାଓ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୦୧୭ ମସିହା ନଭେମ୍ବର ୧୭ ତାରିଖ ଦିନ ମା ମଝିଗରିଆଣୀଙ୍କ ମନ୍ଦିରର ହୁଣ୍ଡି ଖୋଲାଯାଇ ଟଙ୍କା ଗଣାଯିବା ସହିତ ସୁନା, ରୁପା ଅଳଙ୍କାର ଓଜନ କରାଯାଇଥିଲା। ସେତେବେଳେ ନଗଦ ୪୨ ଲକ୍ଷ ଟଙ୍କା, ୩୩ ଗ୍ରାମ ସୁନା ଅଳଙ୍କାର, ୧ କେଜି ୭ଶହ ଗ୍ରାମର ରୁପା ଅଳଙ୍କାର ମିଳିଥିଲା। ଭକ୍ତମାନେ ଦେଇଥିବା ଏହି ଅର୍ଥ ଓ ଅଳଙ୍କାରକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ରଖାଯାଇଥିଲା। ତେବେ ବିମୁଦ୍ରାକରଣ ଯୋଗୁଁ ମନ୍ଦିରର ହୁଣ୍ଡିରୁ ମିଳିଥିବା ପ୍ରାୟ ୧୧ ଲକ୍ଷ ଟଙ୍କା କୌଣସି କାର୍ଯ୍ୟରେ ଲାଗି ନ ଥିଲା। ଏ ପରିପ୍ରେକ୍ଷୀରେ ଆଜି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାଆଙ୍କ ମନ୍ଦିର ହୁଣ୍ଡି ବା ଦାନବାକ୍ସ ଖୋଲାଯାଇ ଏଥିରେ ଥିବା ଟଙ୍କା ଗଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଉତ୍କଳ ଗ୍ରାମ୍ୟବ୍ୟାଙ୍କର ଅଧିକାରୀମାନେ ଆସି ପହଞ୍ଚିବାରେ ପରେ ପରିଚାଳାନା ଟ୍ରଷ୍ଟ ପକ୍ଷରୁ ଏହାର ସଦସ୍ୟ ମାନଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ଟଙ୍କା ଗଣା ଆରମ୍ଭ ହୋଇଛି। ତେବେ ଏଥି ମଧ୍ୟରେ କିଛି ଅଚଳ ଟଙ୍କା ହୁଣ୍ଡିରୁ ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର