ମାଲକାନଗିରି: ଖାଇବାକୁ ନ ପାଇ ଛାତ୍ରାବାସର ୪୦ ଛାତ୍ର ରାତିରେ ଜିଲ୍ଲାପାଳଙ୍କୁ ଭେଟିବାକୁ ୨୫ କିଲୋମିଟର ଚାଲିବାକୁ ଅଣ୍ଟା ଭିଡ଼ିଲେ

ମାଲକାନଗିରି: ଖାଇବାକୁ ଖାଦ୍ୟ ନାହିଁ, ପିଇବାକୁ ପାଣି ନାହିଁ, ରାତିରେ ପଢ଼ିବାକୁ ବିଦ୍ୟୁତ ନାହିଁ। ଏ କଥା ବୁଝିବାକୁ ହଷ୍ଟେଲରେ ସୁପରିନ୍‌ଟେଣ୍ଡେଣ୍ଟ ନାହାଁନ୍ତିି। ପରିସ୍ଥିତି ଅସହ୍ୟ। ଶେଷରେ ଭୋକ ସମ୍ଭାଳି ନ ପାରି ମାଲକାନଗିରି ଜିଲ୍ଲା ମରକଣ୍ଡା ବ୍ଲକ୍‌ର କାର୍ଲାକଟା ଉନ୍ନିତ ମଧ୍ୟ ଇଂରାଜୀ ଆବାସିକ ବିଦ୍ୟାଳୟ ଛାତ୍ରାବାସର ୪୦ ଜଣ ଛାତ୍ର ପାଚେରି ଡେଇଁ ଚାଲି ଚାଲି ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଆସୁଥିଲେ। ଏ ସମ୍ପର୍କରେ ସୂଚନା ପାଇ ପୁଲିସ ସେମାନଙ୍କୁ ଅଧବାଟରେ ଅଟକାଇ ଅଟୋ ଯୋଗେ ପୁଣି ହଷ୍ଟେଲକୁ ପଠାଇବା ସହିତ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଶେଷରେ ବିଳମ୍ବିତ ରାତିରେ ରୋଷେଇ ହେଲା ପରେ ପିଲାମାନେ ଖାଦ୍ୟ ଖାଇଛନ୍ତି।


ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା ମରକଣ୍ଡା ବ୍ଲକ୍‌ର କାର୍ଲାକଟା ଉନ୍ନିତ ମଧ୍ୟ ଇଂରାଜୀ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଅବ୍ୟବସ୍ଥା ଲାଗି ରହିଥଲେ ମଧ୍ୟ କର୍ତ୍ତୃପକ୍ଷ ଅନ୍ତେବାସୀମାନଙ୍କ ସମସ୍ୟାକୁ ଅଣଦେଖା କରି ଆସୁଛନ୍ତି। ହଷ୍ଟେଲରେ ଛାତ୍ରମାନେ ଖାଇବା ପିଇବାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗତକାଲି ରାତିରେ ଏହି ଛାତ୍ରମାନଙ୍କ ପାଇଁ ଖାଦ୍ୟର କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ସେମାନେ ଛାତାବାସର ପାଚେରି ଡେଇଁ ୨୫ କିଲୋମିଟର ଦୂରରେ ଥିବା ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଅନ୍ଧାରରେ ଚାଲିଚାଲି ଯାଉଥିଲେ। ତେବେ ଅର୍କଟେଲ ଥାନା ପୁଲିସ ଛାତ୍ରମାନଙ୍କୁ ଅଧବାଟରେ ଅଟକାଇ ସେମାନଙ୍କ ସମସ୍ୟା ବୁଝିବା ସହିତ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇ ଡକାଇଥିଲେ। ପରେ ସମସ୍ତ ଛାତ୍ରମାନଙ୍କୁ ଅଟୋଯୋଗେ ହଷ୍ଟେଲକୁ ଫେରାଇ ଅଣାଯିବା ସହିତ ରାତିରେ ସେମାନଙ୍କ ପାଇଁ ରୋଷେଇ ହୋଇଥଲା। ପରେ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର