ରାସ୍ତାରେ ଚଳନ୍ତା ଗାଡ଼ିମଟର ଦେଖିବାକୁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଗଲା ୫ବର୍ଷର ଶିଶୁ ; ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲା ! ଦେଖନ୍ତୁ ଭିଡିଓ

ଯାଜପୁର: କଥାରେ ଅଛି, ‘ରଖେ ହରି ମାରେ କିଏ’। ଏହାର ଏକ ଜ୍ୱଳନ୍ତ ଉଦାହରଣ ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳରୁ ସାମ୍ନାକୁ ଆସିଛି।  ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଥିବା ବିଜୁଳି ଖୁଣ୍ଟ   ଯେ କେତେ ବିପଦପୂର୍ଣ୍ଣ ସେ କଥା ଜାଣି ନ ପାରି ଖେଳୁଖେଳୁ ପିଲାଟିଏ ଚଢ଼ି ଯାଇଥିଲା। ସୌଭାଗ୍ୟବଶତଃ ଏହି ସମୟରେ ଖୁଣ୍ଟରେ ବିଦ୍ୟୁତ ସଂଯୋଗ ନଥିବାରୁ ପିଲାଟିର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନାଯୋଗ୍ୟ, ରଗଡ଼ିରେ ଥିବା ସରକାରୀ ପଲିଟେକନିକ୍‌ କଲେଜ ସାମ୍ନାରେ ଏକ ଆଦିବାସୀ ପରିବାର ବସବାସ କରନ୍ତି। ଏହି ପରିବାରର ଦୁଇ ଭଉଣୀ ଘର ବାହାରେ ଖେଳୁଥିବା ସମୟରେ ଭାଇଟି ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟ ପାଖକୁ ଚାଲିଯାଇଥିଲା।

ରାଜପଥରେ ଯାଉଥିବା ଗାଡ଼ିକୁ ଦେଖିବା ପାଇଁ ୫ ବର୍ଷର ଶିଶୁଟି ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ଯାଇଥିଲା। ଭାଇକୁ ଖୁଣ୍ଟ ଉପରେ ଚଢ଼ି ଥିବା ଦେଖି ତଳେ ଥିବା ସାନ ଭଉଣୀ ବି ସେପରି କରିବାକୁ ଚେଷ୍ଟା କରୁଥିଲା, ମାତ୍ର ପାରି ନ ଥିଲା । ଏହି ସମୟରେ ଜଣେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ କିଛି ଲୋକଙ୍କ ନଜର ଉକ୍ତ ଦୁଇ ଶିଶୁଟି ଉପରେ ପଡ଼ିଥିଲ। ଏହାପରେ ସେମାନେ ଭାଇ ଓ ଭଉଣୀ ଦୁହିଁଙ୍କୁ ବିଦ୍ୟୁତ ଖୁଣ୍ଟରୁ ଓହ୍ଲାଇ ଆସିବାକୁ କହିଥିଲେ। ଦୁହେଁ ବି ଧୀରେ ଧୀରେ ସେଠାରୁ ଓହ୍ଲାଇ ଆସିଥିଲେ।

ସୌଭାଗ୍ୟବଶତଃ ସେହି ସମୟରେ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ଯୋଗାଣ ନ ଥିବାରୁ ଏକ ନିଶ୍ଚିତ ମୃତ୍ୟୁରୁ ଭାଇ ଓ ଭଉଣୀଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ  ‘ରଖେ ହରି ମାରେ କିଏ’ ବୋଲି କହୁଥିବାର ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର