ଦୁଇ ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବା ୭ଜଣିଆ ପୁଲିସ ଟିମ୍‌କୁ ଘରେ ପୁରାଇ ତାଲା ପକାଇଲେ ଗ୍ରାମବାସୀ

ସୁନ୍ଦରଗଡ଼: ଗତ ରବିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ବନିଲତା ଗ୍ରାମକୁ ପୁଲିସର ୭ଜଣିଆ ଟିମ୍‌ ୨ଜଣ ଆସାମୀକୁ ଧରିବାକୁ ଯାଇଥିଲେ। ଏହି ସମୟରେ ପୁଲିସ ଆସାମୀକୁ ଧରିବେ କ’ଣ ୭ଜଣ ପୁଲିସକୁ ଗ୍ରାମବାସୀ ଘରେ ପୁରାଇ ବାହାର ପଟୁ ତାଲା ପକାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଅନେକ ଦିନ ହେବ ରାଜକୁମାର ଗୌଡ଼ ଓ ଖଲୁସ ଜୋଜ ଦୁଇଜଣଙ୍କ ନାମରେ ଓ୍ଵାରେଣ୍ଟ ଅର୍ଡର ଥିଲା। ଏହି ଦୁଇ ଆସାମୀକୁ ଧରିବା ପାଇଁ ଗତକାଲି ରାତି ୯ଟା ସମୟରେ ଓଆଇସି ଶ୍ୟାମଲାଲ ଓରାମ ତାଙ୍କର ୭ଜଣିଆ ଟିମ୍‌କୁ ଧରି ବନିଲତାରେ ପହଞ୍ଚିଥିଲେ। ତେବେ ରାଜକୁମାର ଗୌଡ଼ ଓ ଖଲୁସ ଜୋଜକୁ ଗ୍ରାମବାସୀମାନେ ଗିରଫ କରିବାକୁ ଦେବେ ନାହିଁ ବୋଲି ପୁଲିସକୁ ରୋକଠୋକ ମନା କରି ଦେଇଥିଲେ।

ଏହାପରେ ପୁଲିସ ଓ ଗ୍ରାମବାସୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ମଧ୍ୟ ନିଜ ଶକ୍ତି ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ମାଡ ମାରିଥିଲା। ଏହାପରେ ଗ୍ରାମବାସୀ ଉତ୍ତ୍ୟେକ୍ତ ହୋଇ ୭ଜଣ ପୁଲିସକୁ ଏକ ଘରେ ଜୋରଜବରଦସ୍ତି ବନ୍ଦ କରି ଦେଇଥିଲେ। ଏପରି ଭାବେ ୭ଜଣ ପୁଲିସ ଗୋଟିଏ ଘରେ ରାତି ୨ଟା ପର୍ଯ୍ୟନ୍ତ ବନ୍ଦୀ ଥିଲେ। ଏହି ଘଟଣା ସମ୍ପର୍କରେ ଏସ୍‌ପି ସୌମ୍ୟ ମିଶ୍ର ଓ କଲେକ୍ଟର ଏସ୍‌କେ ମିନା ଖବର ପାଇବା ପରେ ଘଟଣାସ୍ଥଳରେ ରାତି ୩ଟା ବେଳେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ୭ଜଣ ପୁଲିସକୁ ଘର ଭିତରୁ ବାହାର କରିଥିଲେ। ଏହି ସମୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ଏସ୍‌ପି ଓ କଲେକ୍ଟର ତିନିଟି ପ୍ଲାଟୁର୍ଣ୍ଣ ଫୋର୍ସ ନେଇ ଗ୍ରାମରେ ପହଞ୍ଚିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୨୫ଜଣ ଗ୍ରାମବସୀଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର