ଗଞ୍ଜାମର କୁକୁଡା ଚାଷୀଙ୍କୁ କରୋନା ମାଡ, ଜିଲ୍ଲା ଗଚ୍ଛିତ ଅଛି ୭୦ ଲକ୍ଷ ଅଣ୍ଡା

ବ୍ରହ୍ମପୁର: କୁକୁଡ଼ା ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଗଞ୍ଜାମ ଅଗ୍ରଣୀ ଲାଭ କରିଛି। ଜିଲ୍ଲାରେ ଦୈନିକ ୧୭ଲକ୍ଷ ୧୦ହଜାର ଅଣ୍ଡା ଉତ୍ପାଦନ ହେଉଛି। ଓଡ଼ିଶାର ମୋଟ କୁକୁଡ଼ା ମାଂସ (ଚିକେନ୍‌) ଚାହିଦାର ପ୍ରାୟ ୨୫ ପ୍ରତିଶତ ଉତ୍ପାଦନ ଏହି ଜିଲ୍ଲାରେ ହେଉଛି। କିନ୍ତୁ କୁକୁଡ଼ା ଚାଷ ଉପରେ କରୋନା ପ୍ରଭାବ ଯୋଗୁଁ ପୂର୍ବ ତୁଳନାରେ ବିକ୍ରି କମିଛି। ଜିଲ୍ଲା ପ୍ରଶାସନର କଟକଣା ଫଳରେ ଗତ ୩ ଦିନ ହେଲା କୁକୁଡ଼ା ଅଣ୍ଡା ଓ ମାଂସ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୬୦ରୁ ୭୦ ଲକ୍ଷ ଅଣ୍ଡା ବିକ୍ରି ନ ହୋଇ ରହିଥିବା କୁକୁଡ଼ା ଅଣ୍ଡା ଚାଷୀ ଅଭିଯୋଗ କରିଛନ୍ତି। ଆଜି ଗଞ୍ଜାମ ଲେୟର କୁକୁଡ଼ା ଫାର୍ମ ମାଲିକ ସଂଘ ସଦସ୍ୟ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତ।

ଜିଲ୍ଲା ପଶୁ ସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ଗଞ୍ଜାମରେ ଅଣ୍ଡାଦିଆ କୁକୁଡ଼ା(ଲେୟର) ଫାର୍ମ ୪୨ଟି ରହିଛି। ପ୍ରତ୍ୟହ ୧୭ଲକ୍ଷ ୧୦ହଜାର ଅଣ୍ଡା ଉତ୍ପାଦନ ହେଉଛି। ଜିଲ୍ଲାରେ କୁକୁଡ଼ା ମାଂସ ପ୍ରତ୍ୟହ ୧୩ ହଜାର ୧୪୫ କିଲୋ ଉତ୍ପାଦନ ହେଉଛି। ଜିଲ୍ଲାର ବ୍ରଏଲର ଓ ଲେୟର କୁକୁଡ଼ା ଚାଷ ଓ ଚାଷୀ ଏବେ ଦୁର୍ଦ୍ଦିନରେ। ପ୍ରଥମତଃ କୁକୁଡ଼ା ମାଂସ ଓ ଅଣ୍ଡା ଦର ନିୟନ୍ତ୍ରଣ ଉପରେ ସରକାରଙ୍କ କୌଣସି ଅଙ୍କୁଶ ନାହିଁ। କରୋନାକୁ ନେଇ ବିଭିନ୍ନ ଗୁଜବ ପରେ ଲୋକମାନେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାକୁ ପସନ୍ଦ କରୁନାହାନ୍ତି। କୁକୁଡ଼ା ଅଣ୍ଡା ଓ ମାଂସର ବିକ୍ରି ଅହେତୁକ ମାତ୍ରାରେ ହ୍ରାସ ପାଇଛି।

Gulf News

ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଡ୍ରେସିଂ କୁକୁଡ଼ା ମାଂସ କିଲୋ ୧୬୦ ରୁ ୧୮୦ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ୮୦ଟଙ୍କାରେ ବିକ୍ରି ହେଉଛି। ଅଣ୍ଡା ବିକ୍ରି ସ୍ଥିତି ମଧ୍ୟ ସଂକଟରେ। ରବିବାର ସନ୍ଧ୍ୟାରୁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଅଣ୍ଡା, କୁକୁଡ଼ା ମାଂସ ଓ ଫାଷ୍ଟ୍‌ଫୁଡ଼୍‌ ଦୋକାନ ବନ୍ଦ କରାଯାଇଛି। ଶିକ୍ଷାନୁଷ୍ଠାନ ଆଦି ବନ୍ଦ ହୋଇଛି। ଏହି କଟକଣା ପରେ ଲେୟର କୁକୁଡ଼ା ଚାଷୀ ବେଶି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଲକ୍ଷ ୨୮ହଜାର ଛାତ୍ରଛାତ୍ରୀ ଅଛନ୍ତି। ପ୍ରତ୍ୟହ ମଧ୍ୟାହ୍ନ ଭୋଜନ ଲାଗି ପ୍ରାୟ ଅଣ୍ଡା ଯାଉଥିବା ବେଳେ ଏବେ ତାହା ଯୋଗାଣ ବନ୍ଦ ହୋଇଯାଇଛି।

ଅଣ୍ଡା ଦୋକାନ ଓ ଫାଷ୍ଟ୍‌ଫୁଡ଼୍‌ ଦୋକାନ ବନ୍ଦ ରହିଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା.ତ୍ରିନାଥ ନାୟକ କହିଛନ୍ତି, ପଶୁ ପକ୍ଷୀଙ୍କ ଠାରୁ କୋଭିଡ଼-୧୯ ଭୂତାଣୁ ଆସିବାର ଏ ଯାଏ ପ୍ରମାଣ ମିଳିନାହିଁ। କେବେଳ ଗୁଜବ ଯୋଗୁଁ କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ହ୍ରାସ ପାଇଛି। କୁକଡ଼ା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇଲେ କିଛି ସମସ୍ୟା ନାହିଁ। ଅଣ୍ଡାଦିଆ କୁକୁଡ଼ା ପାଳନ କରୁଥିବା ଫାର୍ମ ମାଲିକଙ୍କ ନିଜସ୍ୱ ଶୀତଳ ଭଣ୍ଡାର ରହିଛି। ସେଥିରେ ସେମାନେ କିଛି ଅଣ୍ଡା ରଖୁଛନ୍ତି। ବେଶି ଦିନ ଅଣ୍ଡା ବିକ୍ରି ବନ୍ଦ ରହିଲେ ସେମାନେ ବିପୁଳ କ୍ଷତି ସହିବେ। ବ୍ରଏଲର କୁକୁଡ଼ା ଫାର୍ମ ମାଲିକଙ୍କ ସମସ୍ୟା। କୁକୁଡ଼ା ୫ ରୁ ୬ ସପ୍ତାହ ରହିବା ପରେ ବିକ୍ରି ଯୋଗ୍ୟ ହୋଇଥାଏ। ଆଉ ଅଧିକ ଦିନ ରହିଲେ କୁକୁଡ଼ା ଓଜନ ଆସି ନ ଥାଏ। କୁକୁଡ଼ାକୁ କମ୍‌ କମ୍‌ ଦାନା ଦେବା ଲାଗି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗଞ୍ଜାମ ଅଣ୍ଡାଦିଆ କୁକୁଡ଼ା ଚାଷୀ ସଂଘ ସଭାପତି ଶୁଭେନ୍ଦୁ କୁମାର ସାହୁ, ଉପ ସଭାପତି ସରୋଜ କୁମାର ପାତ୍ର ଓ ସମ୍ପାଦକ ମଦନ ମୋହନ ପାଣିଗ୍ରାହୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲାପାଳ ସହ ଆଲୋଚନା ସମ୍ପର୍କରେ ସଂଘର ସଭାପତି ଶ୍ରୀ ସାହୁ କହିଛନ୍ତି, ସଂଘର ଦାବି ଓ ପ୍ରସ୍ତାବକୁ ଗ୍ରହଣ କରି ଉପଯୁକ୍ତ ସ୍ଥାନରେ ଅଣ୍ଡା ବିକ୍ରି ହୋଇପାରିବ। କରୋନାକୁ ନେଇ ଅଣ୍ଡା ଉପରେ କୌଣସି ପ୍ରତିକୂଳ ପ୍ରଭାବ ବର୍ତ୍ତମାନ ପରିସ୍ଥିତିରେ ନାହିଁ। ରାସନ୍‌ ଦୋକାନ ଓ ସ୍ୱତନ୍ତ୍ର ଦୋକାନରେ ଅଣ୍ଡା ବିକ୍ରି ଲାଗି ବାରଣ କରାଯାଇ ନାହିଁ ବୋଲି ଜିଲ୍ଲାପାଳ କହିଥିବା ସେ କହିଛନ୍ତି। ଶ୍ରୀ ସାହୁ ଆହୁରି କହିଛନ୍ତି, ଦୋକାନ ବଜାର ବନ୍ଦ ଫଳରେ ଅଣ୍ଡା ବିକ୍ରି ପ୍ରଭାବିତ ହୋଇଛି। ଜିଲ୍ଲା ଓ ରାଜ୍ୟର କୁକୁଡ଼ା ଅଣ୍ଡା ଚାଷୀମାନେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବିକ୍ରି ବନ୍ଦ ଫଳରେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୬୦ରୁ ୭୦ଲକ୍ଷ ଅଣ୍ଡା ଗଚ୍ଛିତ ରହିଛି। ଅଣ୍ଡା ରଖିବା ଲାଗି ଜିଲ୍ଲାରେ ସୁବିଧା ବି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର