ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ମୃତ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ

ରାଉରକେଲା: ସ୍କୁଲ ପରିସରରେ ବୁଧବାର ଅଘଟଣ ଘଟିଛି। ପଢିବାକୁ ଯାଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ମୃତଦେହ ଘରକୁ ଫେରିଛି। ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରଙ୍ଗାମାଟି ଆବାସିକ ବିଦ୍ୟାଳୟର ଛାତ୍ରୀ ରଶ୍ମୀତା କେର୍କେଟା (୧୨)ଙ୍କର ସ୍କୁଲ ପରିସରରେ ଆକସ୍ମିକ ମୃତ୍ୟୁ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ନା ନା ମତ ଶୁଣା ଯାଉଛି। ସ୍କୁଲ ପାଖରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରଶ୍ମୀତାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ସ୍କୁଲ କର୍ତ୍ତୃପକ୍ଷ ଝରକାରେ ପିଟି ହୋଇ ତାଙ୍କର ମୃତ୍ୟୁ ହୋଇଥିବା କୁଆଡ଼େ ଗ୍ରାମବାସୀଙ୍କୁ ସଫେଇ ଦେଇଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରଙ୍ଗାମାଟି ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢୁଥିଲା ଗମ୍ଭାରଡିହି ଗ୍ରାମର ରଶ୍ମୀତା। ରଶ୍ମୀତା ଛାତ୍ରୀନିବାସରେ ରହୁଥିଲ। ଆଜି ସମୟ ପାଖାପାଖି ୧୦ଟାରେ ସ୍କୁଲରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଥିଲା। ଏହି ସମୟରେ ସ୍କୁଲର ଜଣେ ଶିକ୍ଷୟିତ୍ରୀ କୌଣସି କାମରେ କ୍ଲାସରୁମ୍‌କୁ ଆସିବାରୁ ରଶ୍ମୀତା ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ବିଷୟରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଜଣାଇବାପରେ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା। ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍‌ସ ନ ପହଞ୍ଚିବାରୁ ଏକ ଅଟୋରେ ରଶ୍ମୀତାଙ୍କୁ ବିରକେରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ରଶ୍ମୀତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର