ଜଳେଶ୍ୱର: ସଡ଼କ ଦୁର୍ଘଟଣାରେ ୪ମୃତ ଓ ୬ଗୁରୁତର

ଜଳେଶ୍ୱର: ପଶ୍ଚିମବଙ୍ଗ ଦେଇ ଯାଇଥିବା ୬୦ନମ୍ବର ଜାତୀୟ ରାଜପଥରେ ମେଦିନପୁର ଜିଲ୍ଲାର ଦାନ୍ତୁନ ଥାନା ଅଞ୍ଚଳସ୍ଥ ନେକୁରଶୁଣି ଠାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଦାନ୍ତୁନଥାନା ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୪ ମୃତକଙ୍କ ମଧ୍ୟରୁ ତିନିଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ। ତିନି ମୃତକଙ୍କ ନାମ ଜିତେନ୍ଦ୍ର ପଣ୍ଡା, ସୁନୀଲ ପଣ୍ଡା ଓ ବାପି ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ରମାକାନ୍ତ ଦାସ୍‌, ଅମର ଦାସ୍‌, ସୁରେନ୍ଦ୍ର ଦାସ, ମଦନମୋହନ ଦାସ, ଦାମୋଦର ମିଶ୍ର ଓ ଚଇତନ୍ୟ ମିଶ୍ର ରହିଛନ୍ତି।

ସୂଚନାଯୋଗ୍ୟ, ଏହି ସଡ଼କ ଦୁର୍ଘଟଣାରେ ୪ଜଣ ମୃତକ ଓ ୬ଜଣ ଗୁରୁତରଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଓ ଖଇରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏ ସମସ୍ତେ କରୋନାଭାଇରସ୍‌ ସଂକ୍ରମଣ କାରଣରୁ କୋଲକାତାରୁ ଏକ କାର୍‌ରେ ବାଲେଶ୍ୱର ଅଭିମୁଖେ ଚାଲି ଆସୁଥିଲେ। କାରରେ ଘରକୁ ଫେରୁଥିବା ବେଳେ ହଠାତ ସାମ୍ନାକୁ ଏକ ଷଣ୍ଢ ପଶି ଆସିଥିଲା। ଷଣ୍ଢକୁ ବଞ୍ଚାଇବାକୁ ଯାଇ କାରଟି ଏକ ଟ୍ୟାଙ୍କର ସହ ପିଟି ହୋଇ ଜାଲେଶ୍ୱରରୁ ପାଖାପାଖି ୨୨କିମି ଦୂରରେ ଥିବାନେକୁରଶୁଣି ଠାରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି।

୪ମୃତକ ଓ ୬ ଗୁରୁତର ସମସ୍ତେ କୋଲକାତାରେ ରହି କାମ କରୁଥିଲେ। ପଶ୍ଚିମବଙ୍ଗରେ କରୋନା ପାଇଁ ଦୋକାନବଜାର ସବୁ ବନ୍ଦ ରଖାଯାଇଥିବା ବେଳେ ଯାତାୟତ ବ୍ୟବସ୍ଥା ଉପରେ କଟକଣା ଲଗାଯାଇଛି। ଆଜି ସକାଳେ ଏକ ଚାରିଚକିଆ ଗାଡ଼ି ଭଡ଼ାରେ ଆଣି ସମସ୍ତେ ଘରକୁ ଫେରି ଆସୁଥିଲେ। ତେବେ ନେକୁରଶୁଣି ନିକଟରେ ଗାଡ଼ିଟକୁ ପଛପଟୁ ଏକ ଅଜଣା ଟ୍ରକ ଧକ୍କା ଦେବା ପରେ ତତକ୍ଷଣାତ ସେଠାରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଓ ଦାନ୍ତୁନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣିବାର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଖବର ପ୍ରଚାରିତ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର