ଟ୍ରକ ପଛରେ ପିଟିଲା ଟ୍ରକ, ଘଟଣାସ୍ଥଳରେ ଚାଳକ ମୃତ

ବଅଁରପାଳ: ଅନୁଗୁଳ ବଅଁରପାଳ ଥାନା ସମ୍ମୁଖ ତାଳଚେର ପାର୍ଶ୍ୱ ୧୪୯ନଂ ଜାତୀୟ ରାଜପଥ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଗତକାଲି (ସୋମବାର) ବିଳମ୍ବିତ ରାତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଚାଳକ ଗୋବିନ୍ଦ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ(୨୭) । ଜିତୁଙ୍କ ଘର ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଗଞ୍ଜଡ଼ା ଗ୍ରାମରେ ବୋଲି ସୂଚନା ମିଳିଛି। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି (ସୋମବାର) ରାତି ପ୍ରାୟ ୨ ଘଟିକା ସମୟରେ ଟ୍ରକ (ଓଡି ୩୫ ଏ ୭୦୧୧) ଟି ରାସ୍ତା କଡରେ ଠିଆ ହୋଇଥିଲା। ଏହି ସମୟରେ ତାଳଚେର ପାର୍ଶ୍ୱରୁ ଆସୁଥିବା ଟ୍ରକ (ଓଡି ୩୫ ଏ ୮୭୪୬) ଭାରସାମ୍ୟ ହରାଇ ରାସ୍ତାରେ ଛିଡା ହୋଇଥିବା (ଓଡି ୩୫ ଏ ୭୦୧୧) ଟ୍ରକ୍‌କୁ ପଛ ପଟୁ ପିଟିଥିଲା। ଯାହା ଫଳରେ ଟ୍ରକ ଚାଳକ ଷ୍ଟୟରିଂରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଜିତୁ ପ୍ରଧାନଙ୍କ ପତ୍ନୀ ଭାରତୀ ଖବର ପାଇ ରାତି ୪ ଘଟିକା ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜିତୁଙ୍କ ମୃତ୍ୟୁ ଖବର ପାଇ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡିଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣାଟି ବଅଁରପାଳ ଛକ ନିକଟବର୍ତ୍ତୀ ହୋଇଥିବାରୁ ୫୫ନଂ ଜାତୀୟ ରାଜପଥ ଓ ୧୪୯ନଂ ଜାତୀୟ ରାଜପଥରେ ସାଧାରଣ ଜନତା ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବଅଁରପାଳ ପୁଲିସ ଜିତୁଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର