ଅନୁଗୁଳ: କିଛି ସମୟ ପରେ ଜ୍ୱାଇଁ ଘରେ ପହଞ୍ଚି ଥାଆନ୍ତେ ଶ୍ୱଶୁର, କିନ୍ତୁ ଅଧା ବାଟରେ ଚାଲିଗଲା ଜୀବନ

ଅନୁଗୁଳ: ଅନୁଗୁଳ-ନାଲକୋ ୫୫ ନମ୍ବର ଜାତୀୟ ରାଜପଥ କାନ୍ଦସରା ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି। ମୃତକଙ୍କ ନାମ ହେମନ୍ତ ବିଶୋଇ ଏବଂ ଘର ଅନୁଗୁଳ ରାଣୀଗୁଡା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳୁ ଅନୁଗୁଳ-ନାଲକୋ ୫୫ ନମ୍ବର ଜାତୀୟ ରାଜପଥ ଦେଇ ହେମନ୍ତ ବିଶୋଇ ତାଙ୍କ ଜ୍ୱାଇଁଙ୍କ ଘରକୁ ଏକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଏକ ଆଲୁମିନିୟମ ବୋଝେଇ ଟ୍ରକ୍‌ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ସ୍କୁଟିରୁ ତଳକୁ ଛିଟିକି ପଡ଼ିଥିଲେ ଏବଂ ଟ୍ରକ୍‌ ତାଙ୍କ ଉପର ଦେଇ ମାଡି ଯାଇଥିଲା। ଘଟଣାସ୍ଥଳରେ ହେମନ୍ତ ବିଶୋଇଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ ପୁଲିସ ଓ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ମୃତ ହେମନ୍ତଙ୍କ ଜ୍ୱାଇଁ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାପରେ ଏକଲକ୍ଷ ଟଙ୍କା ସହାୟତା ରାଶି ନ ଦେବା ଯାଏଁ ମୃତଦେହ ଉଠିବ ନାହିଁ ବୋଲି ଦାବି ରଖି ସ୍ଥାନୀୟଲୋକେ ରାସ୍ତାରୋକ କରିଛନ୍ତି। ଅନୁଗୁଳ-ନାଲକୋ ୫୫ନମ୍ବର ଜାତୀୟ ରାଜପଥ ହୋଇଥିବା ହେତୁ ଦୁଇଘଣ୍ଟା ଧରି ଉଭୟ ପାର୍ଶ୍ୱରେ ଟ୍ରକ୍‌ ଓ ବସ୍‌ ଲମ୍ବା ଧାଡ଼ି ବାନ୍ଧି ରହିଛନ୍ତି।

ସମ୍ବନ୍ଧିତ ଖବର