ଡେଲାଙ୍ଗ: ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ, ଘରୁ ଜବତ ହେଲା ୧ଲକ୍ଷ ଚୋରି ଟଙ୍କା

ଡେଲାଙ୍ଗଶ ଗତ ୨୮ ତାରିଖ ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ କୋଠଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କା ଚୋରି ହୋଇଥିିଲା। ଏହି ଘଟଣାରେ ପୁଲିସ ସନ୍ଦେହରେ ନେଇ ପଚରା ଉଚରା କରିଥିଲା। ପରେ ଅଭିଯୁକ୍ତଙ୍କ ଘର ରେଡ୍‌ କରିବାକୁ ପୁଲିସ ଆସିଥିବା ବେଳେ କୌଶଳକ୍ରମେ ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ। ଗୋଟିଏ ପଟେ ପୁଲିସ ହାଜାତରୁ ଅଭିଯୁକ୍ତ ଖସିଯାଇଥିବାଜନିତ ବିଫଳତା ପୁଲିସ ପାଇଥିିବା ବେଳେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଚୋରି ହୋଇଯାଇଥିବା ଟଙ୍କା ମଧ୍ୟରୁ ୧ ଲକ୍ଷ ରୁ ଊର୍ଧ୍ୱ ଟଙ୍କା ଜବତ କରିବାର ସଫଳତା ହାସଲ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୮ ତାରିଖ ରାତିରେ କୋଠଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇଥିିବା ଭତ୍ତା ଟଙ୍କା, ରେସନ ସାମଗ୍ରୀ ବିକ୍ରି ବାବଦ ଟଙ୍କା ମିଶି ମୋଟ୍‌ ପ୍ରାୟ ୫ ଲକ୍ଷ ଟଙ୍କା ଏକ ଆଲମିରା ଭିତରେ ଥିଲା। ସେହି ରାତିରେ କେହି ଅଫିସ ଭିତରେ ପଶି ଆଲମୀରା ତାଡି ସମସ୍ତ ଟଙ୍କା ନେଇ ଯାଇଥିଲା। ଏ ନେଇ ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ତଦନ୍ତ କରି ସଞ୍ଜୟ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ତେବେ ପଚରାଉଚରା ସମୟରେ ସଞ୍ଜୟର କଥାରେ ତାଳମେଳ ନ ରହିବାରୁ ପୁଲିସ ତାଙ୍କ ଘର ରେଡ୍‌ କରିବାକୁ ଯାଇଥିଲା। ଏହି ସମୟ ମଧ୍ୟର ସୁଯୋଗ ଦେଖି ସଞ୍ଜୟ ଥାନାରୁ ଫେରାର ହୋଇ ଯାଇଥିଲା। ଅପରପକ୍ଷେ ପୁଲିସ ସଞ୍ଜୟଙ୍କ ଘରେ ଚଢ଼ାଉ କରି ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି, ଯାହା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଟଙ୍କା ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର