କନ୍ଧମାଳରେ ଭାରରେ ଶବ ବୁହା ଘଟଣା: ଆଟେଣ୍ଡାଣ୍ଡ ଓ ଷ୍ଟାଫନର୍ସ ନିଲମ୍ବିତ, ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଫୁଲବାଣୀ: ମହାପ୍ରୟାଣ ଗାଡି ଯୋଗାଇ ନ ଦେବାରୁ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ସ୍ୱାସ୍ଥ୍ୟକେନ୍ଦ୍ରରରୁ ଭାରରେ ଶବ ବୁହା ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ଆଟେଣ୍ଡାଣ୍ଡ ସୁନିତା ରଣା ଓ ଷ୍ଟାଫନର୍ସ ଦିପ୍ତିରେଖା ବିଶୋଇଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସମୀର କୁମାର ଦାସ କହିଛନ୍ତି। ଏଥି ସହ କେ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଅମିତ କୁମାର ବେହେରା ଓ ସାରଙ୍ଗଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ରାକେଶ କୁମାର ବେହେରାଙ୍କୁ କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଅ ନୋଟିସ ହୋଇଥିବା ସେ ସୂଚନା ଦେଇଛନ୍ତି।

କେ.ନୂଆଗାଁ ବ୍ଲକ ବଣ୍ଡଗୁଡା ଗାଁର ଦିଲ୍ଲୀପ ଦଳବେହେରା(୫୦) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁକୁ ମୃତଦେହକୁ ନେବାକୁ ପରିବାର ଲୋକ ଡାକ୍ତର ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କହିଥିଲେ। ପୁଲିସକୁ ମଧ୍ୟ କହିଥିଲେ। ହେଲେ ଗୋଟିଏ ଉତ୍ତର ଥିଲା ଗାଡି ନାହିଁ। ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଯାଇ ଟଙ୍କା ଜମା କଲେ ଗାଡି ଆସି ଶବ ନେବ ବୋଲି କୁହାଗଲା। ପାଖରେ ଟଙ୍କା ନଥିବାରୁ ଏହା କରିବା ପରିବାର ପକ୍ଷେ ସମ୍ଭବ ନଥିଲା। ତେଣୁ ଭାର କରି ଶବକୁ ଗାଁକୁ ନେଇଥିଲେ ପରିବାର ଲୋକ। ଏହାକୁ ନେଇ ଜିଲ୍ଲାପାଳ ଡା.ବୃନ୍ଦା ଡି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶ୍ରୀ ଦାସ ଏ ନେଇ ଆଜି ଦିନ ୧୨ଟା ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ତ୍ତବ୍ୟରେ ଅବହେଳା ନେଇ ରପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର