ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୧୨ ବର୍ଷ କାରାଦଣ୍ଡ

ଫୁଲବାଣୀ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ଏକଥା ପ୍ରଘଟ ନ କରିବା ପାଇଁ ଧମକଚମକ ଦେବା ଅଭିଯୋଗରେ ପୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସୁଶାନ୍ତ ପଟେଲ ଅଭିଯୁକ୍ତ ଅର୍ଜୁନ ବେହେରାଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ଗତ ୨୦୧୪ ମସିହା ଅଗଷ୍ଟ ୧ ତାରିଖ ଦିନ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଥିଲେ ଯେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁକ୍ରୁକୁମ୍ପା ଗ୍ରାମର ଅର୍ଜୁନ ବେହେରା ତାଙ୍କୁ ଘରକୁ ଡାକି ଦୁଷ୍କର୍ମ କରିଥିଲେ। ପରେ ବିଭିନ୍ନ ଧମକ ଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିବା ପରେ ସେ ଏ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ପରାମର୍ଶକ୍ରମେ ସେ ଥାନାରେ ଯାଇ ତାଙ୍କୁ ଅର୍ଜୁନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଅର୍ଜୁନ ବେହେରାଙ୍କୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ଫୁଲବାଣୀ ଅତିରକ୍ତ ଜିଲ୍ଲା ଦୌରା ଜଜ୍‌ ସୁଶାନ୍ତ ପଟେଲ ଅଭିଯୁକ୍ତ ଅର୍ଜୁନ ବେହେରାଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ଏହି ମାମଲାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର