‘ସମ୍ବାଦ ପ୍ରଭାବ’: ଅସହାୟ ଗୁରୁବାରୀକୁ ମିଳିଲା ସରକାରୀ ସହାୟତା

ଭୁବନେଶ୍ୱର: ଅଗଷ୍ଟ ୧ ତାରିଖ ଦିନ ‘ସମ୍ବାଦ ଡଟ୍‌ ଇନ୍‌’ରେ ପ୍ରକାଶ ପାଇଥିବା ଖବର ଆଧାରରେ କୋରାପୁଟ ଜିଲ୍ଲାର ମାହାଳିଆପୁଟ ଗାଁର ଅସହାୟ ନାବାଳିକା ଗୁରୁବାରୀ ସରକାରଙ୍କ ଠାରୁ ସାହାଯ୍ୟ ପାଇବାରେ ସମର୍ଥ ହୋଇଛି।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ମାହାଳିଆପୁଟ ଗାଁର ୧୦ବର୍ଷର ବାପ ଛେଉଣ୍ଡ ଝିଅକୁ ତା’ର ମା’ ଛାଡ଼ି ପଳାଇବା ପରେ ଏକୁଟିଆ ହୋଇଯାଇଥିଲା ଗୁରୁବାରୀ ପରଜା। ଓଳିଏ ଖାଇ ଓଳିଏ ଓପାସ ରହୁଥିଲା ୫ମ ଶ୍ରେଣୀରେ ପଢୁଥିବା ଗୁରୁବାରୀ । ତା’ର ଜୀବନଯନ୍ତ୍ରଣାର କାହାଣୀ ‘ମାହାଳିଆପୁଟରେ ମହରଗ ଜୀବନ ଜିଉଁଛି ଗୁରୁବାରୀ…’ ଶୀର୍ଷକରେ ପ୍ରକାଶ ପାଇଥିଲା।

ଏହି ଖବର ‘ସମ୍ବାଦ’ ପକ୍ଷରୁ ଟ୍ଵିଟରରେ ସେୟାର କରାଯିବା ସହ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଟ୍ୟାଗ୍‌ କରାଯାଇଥିଲା। ଏହାପରେ ଖାଦ୍ୟ ଓ ଯୋଗାଣ-ମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଗୁରୁବାରୀକୁ ସହାୟତା କରିବାକୁ ଅନୁରୋଧ କରିଥିଲେ। ତେବେ ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୁରୁବାରୀକୁ ଏକ ସେଲ୍‌ଟର୍‌ ହୋମ୍‌ରେ ରଖାଇବା ସହ ପୋଷାକ, ସ୍କୁଲ୍‌ବ୍ୟାଗ୍‌, ରେନ୍‌କୋଟ୍‌, କମ୍ବଳ ଓ ସ୍ୱେଟର ଯୋଗାଇ ଦେଇଛନ୍ତି। ଏହାପରେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୋରାପୁଟ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେବା ସହ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର