ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ଚାଲୁ ଥିବାରୁ ଚାଷ ଜମିରେ ଟ୍ରାକ୍ଟରର ବହୁଳ ବ୍ୟବହାର ହେଉଛି। ଟ୍ରାକ୍ଟର ସାହାଯ୍ୟରେ ଚାଷ କାମ କରାଯାଉଛି, ଯେଉଁଥିରେ ଲୁହାର ଚକ ବ୍ୟବହାର କରାଯାଉଛି। ଏହି ଲୁହାଚକ ଲାଗିଥିବା ଟ୍ରାକ୍ଟର ରାସ୍ତା ଉପରେ ଯାତାୟତ କରୁଥିବା ଦେଖାଦେଉଛି। ଜମିରେ ଚଷିବା ପୂର୍ବରୁ ଜମି ନିକଟରେ ଲୁହାଚକ ବଦଳାଇବା ସୁବିଧା ଥିବା ସତ୍ତ୍ୱେ ଟ୍ରାକ୍ଟର ମାଲିକ ମାନେ ନିର୍ଭୟରେ ରାସ୍ତା ଉପରେ ଟ୍ରାକ୍ଟରରେ ଲୁହାଚକ ଲଗାଇ ଯାତାୟାତ କରୁଛନ୍ତି। ଟ୍ରାକ୍ଟରରେ ଲୁହାଚକ ଲଗାଇ ରାସ୍ତାରେ ଚଳାଚଳ କରିବା ନେଇ ସରକାରଙ୍କ ତରଫରୁ କଟକଣା ଥିଲେ ସୁଦ୍ଧା ଡାବୁଗାଁ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

Advertisment

ସବୁଠାରୁ ଆଶ୍ଚାର୍ଯ୍ୟ ସ୍ଥାନୀୟ ପୁଲିସ, ପ୍ରଶାସନିକ ଅଧିକାରୀ ତଥା ରାସ୍ତା ନିର୍ମାଣ କରିଥିବା ଠିକାଦାର ଏହା ଦେଖୁଥିଲେ ସୁଦ୍ଧା ନ ଜାଣିଲା ଭଳି ଚୁପ୍‌ ରହିବା ଜନସାଧାରଣଙ୍କୁ ଆଚମ୍ବିତ କରିଛି। ସରକାର ଜନ ସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରି ଗାଁ ଗହଳି ସବୁ ଦିଗରେ ରାସ୍ତା ନିର୍ମାଣ କରୁଥିବା ବେଳେ ଏହି ଲୁହାଚକ ଲାଗିଥିବା ଟ୍ରାକ୍ଟର ଯାତାୟାତ କରିବା ଦ୍ୱାରା ରାସ୍ତାରୁ ପିଚୁ ଓ କକ୍ରିଟ ବାହାରି ଅଳ୍ପ ଦିନରେ ନଷ୍ଟ ହେଉଛି। ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ। ବିଶେଷ କରି ଏହି ଲୁହା ଚକ ଲାଗିଥିବା ଟ୍ରାକ୍ଟର ଡାବୁଗାଁ ବ୍ଲକର ମେଦନା, ବୋରିଗାଁ, ଚଚରାଗୁଡ଼ା, ରୋଡ ସହ ପାପଡାହାଣ୍ଡି ବ୍ଲକର କେତେକ ଅଞ୍ଚଳରେ ମଧ୍ୟ ଯାତାୟାତ କରୁଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।