ଅସୁସ୍ଥ ଆଳି ସ୍ୱାସ୍ଥ୍ୟକେନ୍ଦ୍ର :ଭଙ୍ଗା ଛାତ, ଦଦରା ବେଡ୍‌

ଆଳି: ଭଙ୍ଗା ଛାତକୁ ଦଦରା ବେଡ୍‌। ବିପଜ୍ଜନକ ଅବସ୍ଥାରେ ଚାଲିଛି ଆଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଡାକ୍ତର, ଟେକ୍ନିସିଆନ ଅଭାବ, ଅଚଳ ଏକ୍ସରେ ମେସିନ ଭଳି ଉବୁଟୁବୁ ହେଉଛି ବିବିଧ ସମସ୍ୟାରେ। ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ବର୍ଷବର୍ଷ ହେଲା ଅସୁସ୍ଥ ହୋଇ ପଡ଼ିଛି। ସମସ୍ୟା ଦୂରୀକରଣ ପାଇଁ ବାରମ୍ବାର ଦାବି, ଧାରଣା, ଆନ୍ଦୋଳନ ହୋଇଛି। ହେଲେ, ଶୁଣିବାକୁ କେହି ନାହାନ୍ତି।
ରୋଗୀ ରହୁଥିବା ଓ୍ଵାର୍ଡ, ଡାକ୍ତର ବସୁଥିବା ଆଉଟ ଡୋର ଓ ରୋଗୀ ଲାଇନ ଦେଉଥିବା ବାରଣ୍ଡାର ଛାତଗୁଡିକ କେଉଁଠି ଫାଟି ଆଁ କରିଛି ତ କେଉଁଠି ଛାତରୁ ଫଡା,ଫଡା ସିମେଣ୍ଟ-କଂକ୍ରିଟ ଖସି ଭିତରର ଲୁହାରଡ ପଦାକୁ ଫୁଟି ଦେଖାଯାଉଛି। ରୋଗୀ ଓ ଡାକ୍ତର ମାନେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଏଠାରେ ଦିନ କାଟୁଥିବା ବେଳେ କେତେବେଳେ ଯେ କ’ଣ ଅଘଟଣ ନ ଘଟିବ କହି ହେବନାହିଁ। ଡାକ୍ତରଖାନାରେ ସମୁଦାୟ ୭ ଜଣ ଡାକ୍ତରଙ୍କ ସ୍ଥାନରେ ବର୍ତ୍ତମାନ ସମୟରେ ଅଛନ୍ତି ମାତ୍ର ୨ ଜଣ । ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ମେଡିସିନ, ସର୍ଜରୀ ଓ ଶିଶୁ ବିଭାଗୀୟ ଡାକ୍ତର ପଦବୀ ଦୀର୍ଘଦିନ ହେବ ଖାଲି ପଡିଛି। ପ୍ରତ୍ୟହ ଏଠାକୁ ଚିକିତ୍ସା ନିମନ୍ତେ ଆସୁଥିବା ଶହଶହ ରୋଗୀ ଡାକ୍ତର ଅଭାବ କାରଣରୁ ନାହିଁ,ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଡାକ୍ତରଖାନାରେ ଥିବା ଏକ୍ସରେ ମେସିନ ଟି ଗତ ୩ବର୍ଷ ହେଲା ସଂପୂର୍ଣ୍ଣ ଅଚଳ ହୋଇ ପଡିଛି।

ନୂତନ ଡିଜିଟାଲ ମେସିନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏକ୍ସରେ ମେସିନ ଅଚଳ ଥିବାରୁ ସ୍ଥାନୀୟ ରୋଗୀମାନେ ବହୁ ଖର୍ଚ୍ଚାନ୍ତ ହୋଇ ଏଠାରୁ ୧୫ କିମି ଦୂର ପଟ୍ଟାମୁଣ୍ଡାଇ ଓ ଚାନ୍ଦବାଲି ଯାଉଥିବା ଅଭିଯୋଗ ହେଉଛି। ଟେକ୍ନିସିଆନ ଓ କିରାଣୀ ପଦ ଖାଲି ପଡିଛି। ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସୁଥିବା ଲୋକମାନେ ନିରାଶ ହେଉଛନ୍ତି। ଏହାଛଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଚେରି ନ ଥିବା କାରଣରୁ ପ୍ରତ୍ୟହ ବୁଲା ଗୋରୁଙ୍କ ଠାରୁ ଆରମ୍ଭ କରି କୁକୁରଙ୍କ ଅବାଧ ବିଚରଣସ୍ଥଳ ପାଲଟିଛି ସ୍ୱାସ୍ଥ୍ୟକେନ୍ଦ୍ର। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନଳକୂପ ଅଚଳ। ଅଧା ସମୟରେ ପାଇପ ପାଣି ଯୋଗାଣ ବ୍ୟବସ୍ଥା ଠପ ହୋଇଯିବା କାରଣରୁ ରୋଗୀ,ଅନ୍ତେବାସୀ ରୋଗୀ ଓ ଆଟେଣ୍ଡାଣ୍ଟମାନେ ପାଣି ଟୋପାଏ ପାଇବା ମଧ୍ୟ କାଠିକର ପାଠ ହୋଇ ପଡୁଛି।
ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନାନାବିଧ ସମସ୍ୟା ଲାଗି ରହିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ସଂପୂର୍ଣ୍ଣ ଉଦାସୀନ ରହୁଥିବା ଅଭିଯୋଗ ହେଉଛି। ବିଶେଷ କରି ଡାକ୍ତର ଅଭାବ ପୂରଣ କରିବା ନିମନ୍ତେ ଅଂଚଳର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବହୁବାର ଧାରଣା ଧର୍ମଘଟ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଡାକ୍ତର,କର୍ମଚାରୀ ପଦବୀ ପୂରଣ ସହିତ ଆଳି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଅବ୍ୟବସ୍ଥା ତୁରନ୍ତ ସମାଧାନ କରିବା ନିମନ୍ତେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର