ଲୋକଙ୍କର ମନ କଥା ବୁଝିପାରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ: ଅମିତ ଶାହା

ନବରଙ୍ଗପୁର: ଓଡ଼ିଶାରେ ଦୁର୍ନୀତିର ସୀମା ଟପିଛି। ଅଫସରମାନେ ପିସି କାରବାର ସହିତ ସଂପୃକ୍ତ ରହୁଛନ୍ତି। ରାଜ୍ୟରେ ଲୁଟରାଜ ବଢ଼ିଛି ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋମବାର କହିଛନ୍ତି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ବିଜେପିର ବିଜୟ ସଂକଳ୍ପ ସଭାର ଶାହା କହିଛନ୍ତି, ନିଜର ମନ କଥା ବୁଝିପାରୁ ଥିବା ଲୋକଙ୍କୁ ଭୋଟ ଦିଅନ୍ତୁ ଏବଂ ରାଜ୍ୟର ବିକାଶ ପାଇଁ ଭଲ ମୁଖ୍ୟମନ୍ତ୍ରୀ ଦେଖନ୍ତୁ।

ଅମିତ ଶାହା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଦରକାର। ଆଜି ବି ୫୦ ଲକ୍ଷ ଲୋକ ଓଡ଼ିଶାରେ କଳା ଘରେ ରହୁଛନ୍ତି। ଦୀର୍ଘ ୧୯ ବର୍ଷ ଶାସନ ପରେ ବି ଓଡ଼ିଶାର ଲୋକେ ବିଶୁଦ୍ଧ ପାଣି ପାଇପାରୁ ନାହାନ୍ତି। ସେହିଭଳି ଓଡ଼ିଶାର ୧୨ ହଜାର ଗାଁରେ ଭଲ ରାସ୍ତାଟିଏ ନାହିଁ। ବିଜେପି ଶାସିତ ରାଜ୍ୟ ମାନଙ୍କରେ ବିକାଶର ବନ୍ୟା ଦେଖିବାକୁ ମିଳୁଛି କିନ୍ତୁ ଓଡ଼ିଶାରେ ତାହା ବିପରୀତ।

୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ନବୀନ ରାଜ୍ୟର ଅସୁବିଧାକୁ ପୂରଣ କରି ପାରି ନାହାନ୍ତି। ନବୀନ ସରକାର ନାମକ ଟ୍ରାନ୍ସଫରମର ଜଳି ଯାଇଛି। ଜଳି ଯାଇଥିବା ଟ୍ରାନ୍ସଫରମର ଉପାଡି ଫିଙ୍ଗି ଦିଅନ୍ତୁ ବୋଲି ଶାହା କହିଛନ୍ତି। ମୋଦୀ ସରକାର ୫ ବର୍ଷରେ ୫ ଲକ୍ଷ ୫୬ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ମାତ୍ର ଟଙ୍କା ଲୋକଙ୍କ ପାଖରେ ପହଂଚିପାରୁ ନାହିଁ।

ଶାହା କହିଛନ୍ତି, ବିଜେପି ସରକାର ଆସିଲେ ବାଂଲାଦେଶୀ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବୁ। ଗତ ଥର ବାଲାଂଦେଶୀ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ଆମେ ଉଦ୍ୟମ କରିଥିଲୁ କିନ୍ତୁ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ଏଥିରେ ବାଧା ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର