ଚାନ୍ଦବାଲି: ଗଛରେ ପିଟିହେଲା ଆମ୍ବୁଲାନ୍ସ, ୨ ମୃତ, ୨ ଗୁରୁତର

ଚାନ୍ଦବାଲି: ଗତକାଲି ବିଳମ୍ବିତ ରାତ୍ରି ୩ଟା ସମୟରେ ଚାନ୍ଦବାଲି ମେଡ଼ିକାଲରୁ ରୋଗୀ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବାଟରେ ୧୦୮ ଆମ୍ବୁଲାନ୍‌ସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ରୋଗୀ ସହିତ ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲଇ ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ(୭୦)ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ରାତି ପ୍ରାୟ ୧ଟା ବେଳେ ଚାନ୍ଦବାଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ସାହୁଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଡାକ୍ତର ରେଫର କରି ଦେଇଥିଲେ। ଫଳରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀ ସାହୁଙ୍କୁ ନେଇ ଭଦ୍ରକ ଯାଉଥିବା ବେଳେ ଉଗ୍ରତରା ନଣ୍ଡାବାବା ଆଶ୍ରମ ନିକଟରେ ଏକ ଗୋରୁ ରାସ୍ତା ଉପରକୁ ମାଡ଼ିଆସିବାରୁ ୧୦୮ ଆମ୍ବୁଲାନ୍‌ସ ଡ଼୍ରାଇଭର ଭାରସାମ୍ୟ ହରାଇ ଏକ ଗଛରେ ଆମ୍ବୁଲାନ୍ସକୁ ନେଇ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ରାଗୀ ଶ୍ରୀ ସାହୁ ଓ ଆମ୍ବୁଲାନ୍ସର ହେଲ୍ପର ପ୍ରମୋଦ ପରିଡ଼ା(୩୦ ବର୍ଷ)ଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଶ୍ରୀ ସାହୁଙ୍କ ପୁଅ ସଞ୍ଜୟ ସାହୁ(୩୫) ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଆମ୍ବୁଲାନ୍ସର ଫାର୍ମାସିଷ୍ଟ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସଞ୍ଜୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ରେଫର କରାଯାଇଛି। ପୁଲଇସ ଘଟରାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର