ଦୌଡ଼ରାଣୀ ହେବା ସ୍ୱପ୍ନ: ଦୂତିଙ୍କୁ ଅନୁସରଣ କରୁଛନ୍ତି ଆଉ ଜଣେ ଓଡ଼ିଆ ଝିଅ, ଅର୍ଥ ସାଜୁଛି ବାଧକ

ଭୁବନେଶ୍ୱର: ଦୌଡରାଣୀ ହେବା ପାଇଁ ଆଉ ଜଣେ ଓଡ଼ିଆ ଝିଅ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ହେଲେ ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳର ଦୀପ୍ତିମୟୀ ମହାନ୍ତ। ମନ ଭିତରେ ପିଲାଟି ଦିନରୁ ପ୍ରବଳ ଆଗ୍ରହ ଥିଲା। ସ୍କୁଲ ସମୁହ ଦୌଡ ପ୍ରତିଯୋଗିତାରେ ସଫଳ ହେବା ପରେ ଏହି ଇଚ୍ଛା ଆହୁରି ଆଗକୁ ବଢ଼ିଥିଲା। ଏବେ ସ୍ୱପ୍ନ ପୂରା କରିବାକୁ ଅର୍ଥ ବାଧକ ସାଜୁଛି। ପୁବୁଲି ଗାଁର ଦୀପ୍ତିମୟୀ ରାଜ୍ୟ ଓ ଦେଶ ପାଇଁ ଖେଳିବାକୁ ଅନେକ ଆଶା ରଖିଛନ୍ତି। ହେଲେ ଦାରିଦ୍ର୍ୟ ତାଙ୍କର ବାଟ ଓଗାଳୁଛି। ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ମିଳିଲେ ସେବି ଦିନେ ଦୌଡରାଣୀ ଦୂତି ଚାନ୍ଦଙ୍କ ଭଳି ପଡିଆରେ ଚମକିବେ ବୋଲି ଆଶା ରଖିଛନ୍ତି।

ପରିବାରର ଆର୍ଥିକ ଅନଟନ ମନର ସ୍ୱପ୍ନକୁ ମନରେ ମାରିବାକୁ ବାଧ୍ୟ କରୁଛି। ରାଜ୍ୟ ଓ ଦେଶ ପାଇଁ କିଛି କରି ଦେଖାଇବାର ଅନେକ ଇଚ୍ଛା ରଖିଛନ୍ତି କିନ୍ତୁ ସ୍ୱପ୍ନ ପୂରଣ ରାସ୍ତାରେ ବାଟ ଓଗାଳୁଛି ଗରିବୀ। ଦାରିଦ୍ର୍ୟର ପଶା ପାଲିରେ ଫସି ଯାଇଛନ୍ତି ଯତୀନ୍ଦ୍ର ମହାନ୍ତଙ୍କ ଝିଅ ଦୀପ୍ତିମୟୀ । ଦୌଡରାଣୀ ଦୂତି ଚାନ୍ଦଙ୍କୁ ଆଦର୍ଶ ମାନି ପିଲାଟି ଦିନରୁ ଖେଳକୁଦରେ ରୁଚି ରଖୁଥିବା ଦୀପ୍ତିମୟୀ ସ୍କୁଲ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ୧୫ଶହ ଓ ୩ହଜାର ମିଟର ଦୌଡରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଆଗକୁ ରାଜ୍ୟ ଓ ଦେଶ ପାଇଁ ଖେଳିବାକୁ ଇଛା ରଖିଛନ୍ତି। ଏଥିପାଇଁ ଦୀପ୍ତିମୟୀ ପ୍ରତିଦିନ ଗାଁ ପଡିଆରେ ଅଭ୍ୟାସ ଚଳାଇଛନ୍ତି।

ଦୀପ୍ତିମୟୀ ଢେଙ୍କାନାଳ ଜିଲ୍ଲାର ସରାଙ୍ଗ ନବୋଦୟ ସ୍କୁଲରେ ପଢିବା ବେଳେ ଦୌଡ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ। ଜୀବନର ପ୍ରଥମ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ ଦୌଡପ୍ରତି ତାଙ୍କର ଆଗ୍ରହ ବଢିଛି। ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦୀପ୍ତି ଏବେ ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ପଢୁଛନ୍ତି। ଏବେ ବି ସେ ନିଜ ଗାଁ ପଡିଆରେ ଅଭ୍ୟାସ ଜାରି ରଖିଛନ୍ତି। ଏଭଳି ଅବସ୍ଥାରେ ଦୀପ୍ତିମୟୀକୁ ସରାକାରୀ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ବଢିପାରନ୍ତା ବୋଲି ତାଙ୍କ ପରିବାର ଆଶା ରଖିଛି।

ସମ୍ବନ୍ଧିତ ଖବର