ଗୋଟିଏ ଛାତ ତଳେ ମା’, ଶିଶୁ ଚିକିତ୍ସା: ୧୬ କୋଟିର ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

ଅନୁଗୁଳ: ଏଣିକି ଗୋଟିଏ ଛାତ ତଳେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କୁ ମିଳିବ ସବୁ ପ୍ରକାର ଚିକିତ୍ସା ସୁବିଧା। ସେମାନଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଇନ୍‌ଡୋର ଏବଂ ଆଉଟ୍‌ଡୋର୍‌। ପ୍ରସବକାଳୀନ ଓ ପ୍ରସବୋତ୍ତର ସେବା ସବୁ ବି ଉପଲବ୍‌ଧ ହେବ। ଏଥିପାଇଁ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ମୋଟ୍‌ ୧୬ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଲୋକାର୍ପଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପଣ କରିବା ପରେ ଅନୁଗୁଳବାସୀଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର କେବଳ ଅନ୍ତ ଘଟିନାହିଁ; ବରଂ ମେଡିକାଲ୍‌ରେ ପ୍ରସୂତି ମହିଳା ଓ ଶିଶୁଙ୍କ ଉନ୍ନତମାନର ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବାର ଆଶା ସଞ୍ଚାର ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୩ ଜୁନ୍‌ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନୁଗୁଳ ଭଳି ତାଳଚେର ଉପଖଣ୍ଡରେ ମଧ୍ୟ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଚାଲିଥିବାବେଳେ ଆଗାମୀ ଦିନରେ ପାଳଲହଡ଼ା ଉପଖଣ୍ଡରେ ୮ କୋଟି ଟଙ୍କା ବ୍ୟୟରେ ଆଉ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯିବ ମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଆସନ୍ତା ୨୦୧୯-୨୦ ମସିହା ସୁଦ୍ଧା ତାଳଚେର ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର