ତଳଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ୨୮ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ଆଜି ୨୮ଜଣଙ୍କୁ ଗିରଫ କରିଛି। ଶନିବାର ତଳଗଡ଼ରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ଏଥିରେ ୨୫ରୁ ଅଧିକ ଅସବର୍ଣ୍ଣଙ୍କ ଘର ଭାଂଗି ଦିଆଯାଇଥିଲା। ଏହି ଘଟଣାରେ ବନ୍ତଳା ପୁଲିସ ୨୮ଜଣଙ୍କ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ମୁଖ୍ୟ ଗଣ୍ଡଗୋଳୀକାରୀ ଫେରାର୍‌ ହୋଇଯାଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ତଳଗଡ଼ ତାଳସାହିର ଶ୍ରବଣ ନାଏକ(୨୮) ଓ ତାଙ୍କର ୪ ଜଣ ସାଙ୍ଗ ଶନିବାର ପ୍ରାୟ ସାଢ଼େ ୧୨ଟାବେଳେ କୌଣସି କାରଣରୁ ତଳଗଡ଼ ଗ୍ରାମରୁ ବନ୍ତଳାକୁ ଆସୁଥିବା ସବର୍ଣ୍ଣମାନଙ୍କୁ ଛାଡ଼ି ନଥିଲେ। ସେମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଳଜ କରିବା ସହ ଗାଡ଼ି ଅଟକାଇ ରଖିବାରୁ ଲୋକମାନେ ବାଧ୍ୟ ହୋଇ ଘରକୁ ଫେରିଥିଲେ। ଶ୍ରବଣ ଓ ତାଙ୍କ ସାଙ୍ଗଙ୍କ ଏଭଳି ଆଚରଣ ଯୋଗୁଁ ସବର୍ଣ୍ଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲେ। ସବର୍ଣ୍ଣମାନେ ଅପରାହ୍‌ଣରେ ସଂଘବଦ୍ଧ ଭାବେ ତାଳସାହିକୁ ଆସି ଘର ଭଂଗାରୁଜା କରିବା ସହ ଅସବର୍ଣ୍ଣ ଲୋକଙ୍କୁ ମାଡ଼ ମାରିଥିଲେ। ଏଥିରେ ଗ୍ରାମରକ୍ଷୀ ପରୀକ୍ଷିତ ନାଏକ ଓ ତାଙ୍କ ପତ୍ନୀ ଆହତ ହୋଇଥିଲେ। ପରୀକ୍ଷିତଙ୍କ ମୁଣ୍ଡ ଫାଟି ଯାଇଥିଲା।

ଖବର ପାଇ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ତେବେ ଏ ନେଇ ଗ୍ରାମରକ୍ଷୀ ଶ୍ରୀ ନାଏକ ଥାନାରେ ଏତଲା ଦେବା ପରେ ପୁଲିସ ୩୦ରୁ ଅଧିକ ସବର୍ଣ୍ଣଙ୍କୁ ଥାନାକୁ ଉଠାଇ ଆଣିଥିଲା। ଆଜି ସେମାନଙ୍କ ମଧ୍ୟରୁ ତ୍ରିଲୋଚନ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ଶ୍ରୀକାନ୍ତ ସାହୁ, ଜିତେନ୍ଦ୍ର ପ୍ରଧାନ, ସୁଶୀଲ ଭୋଇ, କାର୍ତ୍ତିକ ବେହେରା, ବିରଞ୍ଚି ବେହେରା, ରମେଶ ସାହୁ, ରଂଜନ ସାହୁ, ଅନିଲ ବେହେରା, ବିଜୟ ଭୋଇ, ସନ୍ତୋଷ ସାହୁ, ଲିପୁ ସାହୁ, ପ୍ରଦୀପ ପ୍ରଧାନ, ନୀଳକଣ୍ଠ ସାହୁ, ହୃଦାନନ୍ଦ ବେହେରା, ସୁବ୍ରତ ଦେହୁରୀ, ଈଶ୍ୱର ଚନ୍ଦ୍ର ଦେହୁରୀ, ଲିଟୁ ସାହୁ, ଦେବେନ୍ଦ୍ର ମହାଳିକ, ଶେଷ ଦେହୁରୀ, ଦୟାନିଧି ପ୍ରଧାନ, ପ୍ରତାପ ଦେହୁରୀ, ଘନଶ୍ୟାମ ସାହୁ, ଅନିରୁଦ୍ଧ ସାହୁ, ଲୁଲୁ ବିଶ୍ୱାଳ, ଦେବରାଜ ସାହୁ, କୁମୁଦ ବେହେରା ପ୍ରମୁଖଙ୍କୁ ଗିରଫ କରାଯାଇଥିବା ଭାରପ୍ରାପ୍ତ ଏସ୍‌ଡିପିଓ ବି. ଆର୍‌. କେରକେଟା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର