ଦୁଇ ବାଇକ୍ ଧକ୍କା, ବାପା, ଝିଅ ଗୁରୁତର

ନାଲକୋନଗର: ନାଲକୋନଗରର ସିପିପି ରାସ୍ତାରେ ଆଜି ପୂର୍ବାହ୍ଣରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହେବାରୁ ଏକ ବାଇକ୍‌ରେ ବସିଥିବା ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣ ୧୧ଟା ସମୟରେ ନାଲକୋ ପ୍ଲାଣ୍ଟର ଠିକା କର୍ମଚାରୀ ତଥା କୁଲାଡ଼ ଗ୍ରାମ ନିବାସୀ ସମରେନ୍ଦ୍ର ପ୍ରଧାନ ଓ ତାଙ୍କ ୧୩ବର୍ଷର ଝିଅ ବାଇକ୍‌ରେ ସିପିପିରୁ ଘରକୁ ଯାଉଥିଲେ। ଏହି ସମୟରେ ପଛରେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ସମରେନ୍ଦ୍ରଙ୍କ ପୁତୁରା ‘ଦାଦା’ ବୋଲି ଡାକି ଦେଇଥିଲେ। ପୁତୁରାଙ୍କ ଡାକ ଶୁଣି ସମରେନ୍ଦ୍ର ହଠାତ ରହି ଯାଇଥିଲେ। ଫଳରେ ପଛରୁ ଆସୁଥିବା ପୁତୁରା ବାଇକ୍‌କୁ ଆୟତ୍ତ କରି ନପାରିବାରୁ ଦାଦାଙ୍କ ଗାଡ଼ି ସହ ଧକା ହୋଇଥିଲା । ଦୁର୍ଘଟଣାରେ ସମରେନ୍ଦ୍ର,ତାଙ୍କ ୧୩ବର୍ଷର ଝିଅ ଓ ପୁତୁରା ରାସ୍ତାରେ ଛିଟିକି ପଡ଼ି ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ୩ ଜଣଙ୍କୁ ନାଲକୋ ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସମରେନ୍ଦ୍ର ଓ ତାଙ୍କ ୧୩ବର୍ଷର ଝିଅକୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର