କାଙ୍ଗୁଲା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା : ଅଭିଯୁକ୍ତ ଅନାମ କୋଲ୍‌କାତାରୁ ଗିରଫ

ଅନୁଗୁଳ : ବହୁଚର୍ଚ୍ଚିତ କାଙ୍ଗୁଲା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀ ଓରଫ ନିବାସ(୨୩)ଶେଷରେ ଧରାପଡ଼ିଛି। ତିନିଦିନର ବ୍ୟାପକ ଛକାପଞ୍ଝା ପରେ ଅନୁଗୁଳ ଜିଲ୍ଲା ପୁଲିସ୍‌ର ଏକ ସ୍ବତନ୍ତ୍ର ଟିମ୍ ଆଜି ପୂର୍ବାହ୍ଣରେ କୋଲ୍‌କାତାର ନ୍ୟୁ ମାର୍କେଟ ଅଂଚଳରୁ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ ଟିମ୍‌ ଅଭିଯୁକ୍ତ ଅନାମକୁ ଆଣି ଆଜି ସଂଧ୍ୟାରେ ଏଠାରେ ପହଞ୍ଚିବା ପରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ତାକୁ ଟାଉନ ଥାନାରେ ରଖି ଜେରା ଚଳାଇଛନ୍ତି। ତେବେ ସେ ଅତ୍ୟଧିକ ଭୟଭୀତ ହୋଇପଡ଼ିଥିବାରୁ ଘଟଣା ସଂପର୍କରେ ତାଠାରୁ ବିଶେଷ କିଛି ସୂଚନା ମିଳିପାରି ନଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୨୦ ତାରିଖ ଅପରାହଣ ପ୍ରାୟ ୩ଟାରେ ପାଇପ ମିସ୍ତ୍ରି ଭାବେ କାମ କରୁଥିବା କାଙ୍ଗୁଲା ନିବାସୀ ଅନାମ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲା। ଏହି କାଣ୍ଡ ଭିଆଇବା ପରେ ସେ ଭୟରେ ଅନୁଗୁଳ ଆସି ଢେଙ୍କାନାଳ ଜିଲ୍ଲା ପର୍ଜଂଗ ଆଡ଼କୁ ପଳାଇ ଯାଇଥିଲା। ସେଠାରୁ ଏକ ଟ୍ରକ୍ ଯୋଗେ କୋଲ୍‌କାତା ଚାଲିଯାଇଥିଲା। ଏହି ନରକୀୟ କାଣ୍ଡକୁ କେନ୍ଦ୍ରକରି ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ରାଜନୈତିକ ତଥା ଅଣରାଜନୈତିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆନ୍ଦୋଳନ କରାଯାଇଥିଲା। ପରିସ୍ଥିତି କ୍ରମଶଃ ଜଟିଳ ଆକାର ଧାରଣ କରୁଥିଲା ବେଳେ ଏସ୍‌ପି ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ‌ଅନୁଗୁଳ ଥାନା ଆଇଆଇସି ରମେଶ ବିଶୋଇ ଓ ସ୍ପେସାଲ ସ୍କ୍ବାଡ୍‌ର ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ବରେ ୬ ଜଣିଆ ଟିମ୍‌ ମଂଗଳବାର କୋଲ୍‌କାତା ଯାଇଥିଲେ। ବହୁ ଖୋଜାଖୋଜି ପରେ ଆଜି ଦିନ ପ୍ରାୟ ୧୧ଟାରେ ନ୍ୟୁ ମାର୍କେଟ ଅଂଚଳରୁ ଅନାମକୁ ଧରିଥିଲେ।

ସମ୍ବନ୍ଧିତ ଖବର