ମାଂସ ଭାଗ ଟଙ୍କା ନଦେବାରୁ ଗୁଳି କରି ଦମ୍ପତିଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ପାଇକସାହି : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ରଇଡ଼ା ଗାଁରେ ଗତ ୨୮ ତାରିଖ ରାତିରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ। ମାଂସ ଭାଗ ଟଙ୍କା ନଦେବାରୁ ଗାଁର ରବୀନ୍ଦ୍ର ଭୋଇ (୩୫) ସାଥୀ ଶିକାରୀ ଅନାମ ପଧାନ (୪୦) ଓ ତାଙ୍କ ପତ୍ନୀ ରତନୀ ପଧାନ (୩୫)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା  ପ୍ରକାଶ ପାଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ୨୭ ତାରିଖ ରାତିରେ ରବୀନ୍ଦ୍ର ଓ ଅନାମ ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ଶିକାର କରିବା ପରେ ୨୮ ତାରିଖ ଭୋରରେ ମାଂସ ଭାଗ କରି ବିକ୍ରିି କରିଥିଲେ। ଅନାମ ଅଧିକ ଦୁଇ କେଜି ମାଂସ ନେଇଥିବାରୁ ଅଧିକ ୬ ଶହ ଟଙ୍କା ପାଇଥିଲେ। ରବୀନ୍ଦ୍ର ସେଦିନ ସଂଧ୍ୟାରେ ଅନାମ ଘରକୁ ଆସି ମାଂସ ଭାଗ ବାବଦ ୩ ଶହ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ଅନାମ ରାଜି ହୋଇନଥିଲେ। ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବୀନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ଧରିଥିବା ଦେଶୀ ବନ୍ଧୁକରେ ଅନାମଙ୍କୁ ଲକ୍ଷ୍ୟ କରି ଗୁଳି କରିବା ବେଳେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ରତନୀ ସାମ୍ନାକୁ ଚାଲି ଆସିଥିଲେ। ରତନୀଙ୍କ ଛାତିରେ ୩ଟି ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏତିକିରେ ରବୀନ୍ଦ୍ରର ମନ ଶାନ୍ତ ହୋଇନଥିଲା। ସେ ଅନାମଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଛାତିରେ ଗୁଳି ବାଜିବାରୁ ଅନାମ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଯାଇଥିଲେ। ରାତିରେ ଗ୍ରାମବାସୀ ଅନାମଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତି କରିଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ଏବଂ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଅନାମଙ୍କର ମୃତ୍ୟୁ ଘଟିଥିଲା। ଅନାମଙ୍କ ଭାଇ ଗଗନ ପଧାନଙ୍କ ଅଭିଯୋଗ କ୍ରମେ ପୁଲିସ ଏ ନେଇ କେସ୍‌ ନମ୍ବର ୧୮/୨୦୧୮ ଦଫା ୩୦୨, ୩୦୭, ୨୫, ୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ରବୀନ୍ଦ୍ରକୁ ପୁଲିସ ନିକଟସ୍ଥ ଜଙ୍ଗଲରୁ ଧରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି। ମୃତ ଦମ୍ପତିଙ୍କର ଗୋଟିଏ ନାବାଳକ ପୁଅ ଓ ୨ଟି ଝିଅ ଅଛନ୍ତି। ସେମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର