ସୁନ୍ଦରୀ ପାଇଁ ଖଣ୍ଡଯୁଦ୍ଧ, ସନ୍ଧ୍ୟା ନଇଁବା ପରେ ପୁଲିସର ଲାଠି ଚାର୍ଜ, ଉତ୍ତେଜିତ ଲୋକେ ଜାଳି ଦେଲେ ପୁଲିସ ଗାଡ଼ି

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’ର ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତେଜିତ ହୋଇପଡ଼ିଛନ୍ତି। ସେମାନେ କୁମୁରି ଟାଇଁସି ବିଟ୍‌ ହାଉସ ଭଙ୍ଗାରୁଜା କରିଛନ୍ତି। ଉତ୍ତେଜିତ ଲୋକେ ମୃତଦେହ ରଖି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ମୁଣ୍ଡାସାହି ଦେଇ ଯାଇଥିବା ଜାତୀୟ ରାଜପଥ ୫୫କୁ ଅପରାହ୍ନ ୩ଟାରୁ ଅବରୋଧ କରିବା ପରେ ସାଧାରଣ ଜନତାଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁଲିସ ସନ୍ଧ୍ୟା ନଈବା ପରେ ଲାଠି ଚାର୍ଜ ଆରମ୍ଭ କରି ଦେଇଛି। ଜବାବରେ ଉତ୍ତେଜିତ ଲୋକେ ପୁଲିସ ଗାଡ଼ିରେ ନିଅାଁ ଲଗାଇ ଦେଇଛନ୍ତି। ଅବରୋଧ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଆଜି ସକାଳେ ପୁଣି ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଛି। ବାଘୁଣୀ ଉକ୍ତ ବ୍ୟକ୍ତିଙ୍କର କାନ୍ଧ ଏବଂ ପିଚାକୁ କାମୁଡ଼ି ଖାଇଛି ବୋଲି ମଧ୍ୟ ଲୋକେ କହୁଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ଦେଖା ଦେଇଛି । ଘଟଣାସ୍ଥଳକୁ ଯାଉଥିବା ପୁଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ମୃତଦେହ ପାଖକୁ ପୁଲିସକୁ ଯିବାକୁ ଦେଉନାହାଁନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଉତ୍ୟକ୍ତ ଲୋକେ ଏସିଏଫଙ୍କୁ ଅଟକ ରଖିଥିଲେ । ତେବେ ବାଘୁଣୀ ସେହି ସ୍ଥାନ ଛାଡି ଯାଉ ନଥିବା ଜଣାପଡିଛି । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୁନ୍ଦରୀ ଆକ୍ରମଣ କରିଛି ଏବଂ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ହେଉଛନ୍ତି ଟାଇଁଶି ଗାଁ’ର ଶ୍ରୀନାଥ ସାହୁ। ୬୦ ବର୍ଷ ବୟସ୍କ ଶ୍ରୀନାଥ ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ପାଖାପାଖି ନିଜ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲିଆ ଜମିରେ ନିଜ ପୁଅ ସହ ହଳ କରୁଥିଲେ। ପୁଅକୁ ହଳ ଧରାଇ ସେ କିଛି ଦୂରରେ ଥିବା ଏକ ଗଛମୂଳକୁ ଯାଇଥିବା ବେଳେ ତାଙ୍କୁ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣ କରି ମାରି ଦେଇଥିବା କଥା ସ୍ଥାନୀୟ ଲୋକେ କହୁଛନ୍ତି।

ଅତୀତରେ ହାତୀବାରି ଗାଁ’ର କୈଳାସୀ ସାଏ ନାମ୍ନା ଜଣେ ମହିଳା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ନିହତ ହୋଇଥିବା କଥା ଅଭିଯୋଗ ହୋଇଥିଲାଯ। ଏ ଘଟଣା ଯୋଗୁଁ ଟିକରପଡ଼ା ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ବନବିଭାଗର ପ୍ରାୟ ୫ କୋଟି ଟଙ୍କା ନଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର