ଜୀବନ ହାରିବାକୁ ଯୁବତୀଙ୍କ ଉଦ୍ୟମ :ଫେସ୍‌ବୁକ୍‌ରେ ମା’ଙ୍କ ଚରିତ୍ର ସଂହାର ପ୍ରସଙ୍ଗ

ଘଣ୍ଟାଏ ପୂର୍ବରୁ ଅପ୍‌ଲୋଡ୍‌ କଲେ ଭିଡିଓ ମେଡିକାଲରେ ଭର୍ତି, ତଦନ୍ତ ଆରମ୍ଭ

ଅନୁଗୁଳ: ଝସକେତନ ଝଟ୍‌କା ପରେ ଅନୁଗୁଳ ପୁଲିସ୍‌କୁ ଆଉ ଏକ ଝଟ୍‌କା ମିଳିଛି। ଫେସ୍‌ବୁକ୍‌ରେ ମା’ଙ୍କ ଚରିତ୍ର ସଂହାର କରିବା ସହ ଆତ୍ମହତ୍ୟା ଚେତାବନୀ ଦେଇ ଭିଡ଼ିଓ ଅପ୍‌ଲୋଡ଼୍‍ କରିଥିବା ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦୀର୍ଘ ୧୬ ତାରିଖ ଠାରୁ ମା’ଙ୍କ ଚରିତ୍ର ସଂହାର କରିବା ସହ ନିଜର ସୁରକ୍ଷା ଲୋଡ଼ିଥିବା ଯୁବତୀ ଭିଡ଼ିଓ ଅପ୍‌ଲୋଡ଼୍‍ କରିଥିବା ବେଳେ ୨୧ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପାଇଛି। ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ଅନୁଗୁଳ ଥାନା ପୁଲିସ୍‌ ଏହାକୁ ଗୁରୁତର ସହ ନ ନେବାରୁ ଯୁବତୀଙ୍କ ଜୀବନ ବିପନ୍ନ ହୋଇଛି। ଆଜି ପୂର୍ବାହ୍ନରେ କେତେକ ମେଡ଼ିସିନ୍‌ ଏକାଠି ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। କିନ୍ତୁ ପୁଲିସ୍‌ କାହିଁକି ଏହାକୁ ଗୁରୁତର ସହ ନେଲା ନାହିଁ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହି ଅଭାବନୀୟ ପରିସ୍ଥିତି ପାଇଁ ପୁଲିସ୍‌ ଦାୟୀ ବୋଲି କୁହାଯାଉଛି। ଅନ୍ୟପଟେ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଯୁବତୀ ଏକ ଭିଡ଼ିଓ ମଧ୍ୟ ଅପ୍‌ଲୋଡ଼୍‍ କରିଛନ୍ତି। ୧ମିନିଟ ୨୯ ସେକେଣ୍ଡର ଏହି ଭିଡ଼ିଓରେ ସେ କହିଛନ୍ତି, ‘ମୁଁ ଯାହା କହିଥିଲି ସତ କହିଥିଲି। ପ୍ରଶାସନ ସାହାଯ୍ୟ କଲାନାହିଁ। ଫେସ୍‌ବୁକ୍‌ରେ ଅପ୍‌ଲୋଡ଼୍‍ ହୋଇଥିବା ଭିଡ଼ିଓର କମେଣ୍ଟରେ କେତେକ ମନଗଢ଼ା କମେଣ୍ଟ ଦେଇଛନ୍ତି। ଯେଉଁମାନେ ଏଭଳି ଲେଖିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ମୁଁ ମରିବାକୁ ଯାଉଛି। ମୋ ମୃତ୍ୟୁ ପାଇଁ ଜେଜେ ବାପା, ମା’, ଭାଇ ଓ ଭଉଣୀ ଦାୟୀ।’ ଭିଡ଼ିଓରେ ସେ ଖାଇଥିବା ଓଷଧ ବୋତଲ ମଧ୍ୟ ଦେଖାଉଛନ୍ତି। ଏହା ପରେ ତାଙ୍କ ପିଉସୀ ତାଙ୍କୁ ଉଦ୍ଧାର କରିଛନ୍ତି।
ପୁଲିସ୍‌ ଏହାକୁ ଗୁରୁତର ସହ ନ ନେବାରୁ ସମ୍ବାଦ ଜରିଆରେ ଘଟଣା ପୁଲିସ୍‌ ଡିଜିଙ୍କ ନଜରକୁ ଆସିଥିଲା। ଗତକାଲି ଡିଜି ଏହାର ତଦନ୍ତ କରିବା ପାଇଁ ଅନୁଗୁଳ ଏସ୍‌ପିଙ୍କୁ ନିର୍ଦେଶ ଦେଇଥିଲେ। ଆଜି ଅନୁଗୁଳ ଥାନା ପୁଲିସ୍‌ ଯୁବତୀଙ୍କ ପରିବାରବର୍ଗଙ୍କର ବୟାନ ନେଇଥିଲା। ଏହି ଘଟଣାର ୧ଘଣ୍ଟା ପରେ ସମ୍ପୃକ୍ତ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ଘରେ ରହୁଥିଲେ। ସେଠାରୁ ତାଙ୍କ ପିଉସୀଙ୍କୁ ଦେଖା କରିବା ପାଇଁ ତାଳେଚେର ନନ୍ଦିରା ଯାଇଥିଲେ। ନନ୍ଦିରାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଓଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପିଉସୀଙ୍କୁ କହିଥିଲେ। ପିଉସୀ ତାଙ୍କୁ ତୁରନ୍ତ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଏହା ପରେ ମେଡ଼ିକାଲରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବାପା ପହଞ୍ଚିଥିଲେ। ପୁରୁଷବନ୍ଧୁ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ପୁରୁଷବନ୍ଧୁଙ୍କ ଘରେ ହିଁ ଯୁବତୀ ରହି ଆସୁଥିଲେ। ପୁରୁଷବନ୍ଧୁଙ୍କ ବାପାଙ୍କ କହିବା ମୁତାବକ; ସେ ଫେସ୍‌ବୁକ୍‌ରେ ଏଭଳି ମତାମତ ଦେବା ପରେ ଆମେ ଭୟଭୀତ ଥିଲୁ। କେତେବେଳେ କଣ କରିଦେବ ଭୟ କରୁଥିଲୁ। ଏଣୁ ଜଗୁଥିଲୁ। ହେଲେ ଆଜି ପିଉସୀଙ୍କ ଦେହ ଖରାପ, ଦେଖିବାକୁ ଯାଉଛି କହି ସେ ଘରୁ ବାହାରିଥିଲେ। ଏହା ପରେ ଆମେ ଏଭଳି ଖବର ଶୁଣି ମେଡ଼ିକାଲରେ ପହଞ୍ଚିଛୁ। ଆମେ ଜୀବନ ସାରା ତାକୁ ଘରେ ରଖିବାକୁ ଚାହୁଁଛୁ, ତାଙ୍କର ଏଭଳି ଘର ଲୋକଙ୍କ ସହ ଝଗଡ଼ା ପଛରେ ଆମର କୌଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଯୁବତୀଙ୍କ ପରିବାର ସଦସ୍ୟ ତାଙ୍କୁ ଭେଟିବା ପାଇଁ ଆସିନାହାନ୍ତି। ଏଗ୍ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ମଧ୍ୟ ଯୁବତୀଙ୍କ ବୟାନ ରେକର୍ଡ କରିଛନ୍ତି।
ଖୋଳତାଡ଼ ବେଳେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଗତ ୨୦୧୬ ମସିହା ଅପ୍ରେଲ ୧୨ ତାରିଖ ଦିନ ସମ୍ପୃକ୍ତ ଯୁବତୀ କେତେକ ଯୁବକଙ୍କ ସହାୟତାରେ ମା’, ଜେଜେ ଓ ଭାଇକୁ ମାଡ଼ ମାରିଥିଲା। ଏ ନେଇ ତାଙ୍କ ମା’ଙ୍କ ଅଭିଯୋଗେ କ୍ରମେ ତାଙ୍କ ପୁରୁଷବନ୍ଧୁ ଓ ଅନ୍ୟମାନଙ୍କ ନାମରେ ଅନୁଗୁଳ ଥାନରେ ଏକ ମାମଲା ରହିଛି। ତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଆମର ଇଛା ବିରୋଧରେ ସେ ବିବାହ କରିଥିଲା। ଏଣୁ ଆମେ କୌଣସି ସମ୍ପର୍କ ରଖିବା ପାଇଁ ମନା କରି ଦେଇଥିଲୁ। ସେ ମଧ୍ୟ ସମ୍ପର୍କ ରଖିବ ନାହିଁ ବୋଲି କହି ଚାଲି ଯାଇଥିଲା। ହେଲେ ୨୦୧୬ ମସିହା ଅପ୍ରେଲ ୧୨ ତାରିଖରେ ହଠାତ୍‌ ଆସି ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଆମେ ରାଜି ନ ହେବାରୁ ମାଡ଼ ମାରିଥିଲା। ଏଣୁ ଥାନାରେ ଅଭିଯୋଗ ହୋଇଥିଲା। ଯାହାଙ୍କ ସହ ଚାଲି ଯାଇଥିଲା ସେ କିଛି ଦିନ ପରେ ଆତ୍ମହତ୍ୟା କରିଥିଲେ। ଏବେ ଆମକୁ ହଇରାଣ କରିବା ପାଇଁ କେବଳ ସବୁ କରୁଛି ବୋଲି ତାଙ୍କ ମା’ କହିଛନ୍ତି।
ଏହାର ଏବେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଚାଲିଛି। ଆଇନ ଅନୂଯାୟୀ ଯାହା ହୋଇ ପାରିବ ତାହା କରାଯିବ ବୋଲି ଅନୁଗୁଳ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ବିଶୋଇ କହିଛନ୍ତି। ଏବେ ସତ କଣ ମିଛ କଣ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଖୋଦ୍‌ ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଯୁବତୀଙ୍କ ସୁସ୍ଥ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ପୁରୂଣା ଭିଡ଼ିଓ ସହ ନୂଆ ଭିଡ଼ିଓର ଚାହିଦା ଓ ଭାଗିଦାରୀ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର