ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା, ଲୁହା ଶଯ୍ୟାରେ ଗର୍ଭବତୀଙ୍କୁ ଚିକିତ୍ସା

ଅନୁଗୁଳ : ମଂଗଳବାର ଦିନ ୧୧ଟା। ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଇନ୍‌ଡୋର ୱାର୍ଡ ସମ୍ମୁଖ କାନ୍ଥରେ ଲେଖାହୋଇଛି ଚପଲ ବାହାରେ ରଖନ୍ତୁ। ଠିକ୍‌ ତା’ ସମ୍ମୁଖ(ବାରଣ୍ଡାରେ)ରେ ଇନ୍‌ଡୋର ରୋଗୀଙ୍କ ପରିଜନଙ୍କ ବସିବା ପାଇଁ ପକାଯାଇଥିବା ଲୁହା ତିଆରି ଛୋଟ ଶଯ୍ୟାରେ ଜଣେ ଗର୍ଭବତୀ ମହିଳା ସୁରଭି ପ୍ରଧାନ ଚିକିତ୍ସିତ ହେଉଛନ୍ତି। ସାଲାଇନ ଲଗାଯାଇଛି। ଶଯ୍ୟାରେ ଗଦି ନାହିଁ କି ବେଡ୍‌ସିଟ୍‌ ଖଣ୍ଡିଏ ବି ନାହିଁ। ପାଖରେ ଅସହାୟ ଅବସ୍ଥାରେ ବସିଛନ୍ତି ତାଙ୍କ ସ୍ବାମୀ ଦିଲୀପ ପ୍ରଧାନ। ଅନ୍ୟ ବିକଳ୍ପ ନଥିବାରୁ ପ୍ରାୟ ୩୦ କିଲୋମିଟର ରାସ୍ତା ବାଇକ୍‌ରେ ଅତିକ୍ରମ କରି ବଡ଼ କଷ୍ଟରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଂଚିଥିବା କହନ୍ତି ‌‌‌ଦିଲୀପ। ୱାର୍ଡରେ ଶଯ୍ୟା ଖାଲି ଅଛି। ହେଲେ ଡାକ୍ତର ୱାର୍ଡର ବାରଣ୍ଡାରେ ରଖି ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳାଙ୍କ ପ୍ରତି ଏଠାରେ କିଭଳି ବ୍ୟବହାର କରାଯାଉଛି ଦେଖନ୍ତୁ ବୋଲି କୋହଭରା କଣ୍ଠରେ କହିଥିଲେ ଦିଲୀପ ପ୍ରଧାନ।

ରାଇଗୁଡ଼ାଠାରୁ ଅଳ୍ପ ଦୂରରେ ଥିବା ନୂଆ‌େଖତା ଗାଁର ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ପତ୍ନୀଙ୍କୁ ରବିବାର ଦିନ ଭର୍ତ୍ତି କରିଥିଲେ। ତାଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ କହନ୍ତି, ନିୟମିତ ବେଡ୍‌ ସିଟ ପରିବର୍ତ୍ତନ କରାଯାଉ ନାହିଁ। ସୋମବାର ଦିନ ଡାକ୍ତରଖାନା ପକ୍ଷରୁ କିଛି ଖାଇବାକୁ ଦିଆଯାଇନଥିଲା। ଆଜି ସକାଳେ କିନ୍ତୁ ୨ ପ୍ୟାକେଟ କ୍ଷୀର ଓ ୨ଟି ପାଉଁରୁଟି ଦିଆଯାଇଛି ବୋଲି ସେ କହିଥିଲେ। ଡାକ୍ତରଖାନାର ଆଉଟ୍‌ ଡୋରରେ ରୋଗୀମାନଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଜଣେ ମହିଳା ଡାକ୍ତର(ଡେଣ୍ଟାଲ ସର୍ଜନ) ଚିକିତ୍ସା କରୁଥିଲେ। ମଝିରେ ମଝିରେ ଇନ୍‌‌େ‌ଡାରକୁ ଯାଇ ରୋଗୀ ଦେଖୁ ଆସୁଥିଲେ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ ଜଣ ମେଡିକାଲ ଅଫିସର ଅଛନ୍ତି। ସେମାନଙ୍କ ମଧ୍ୟରୁ ଜ‌ଣେ ଡାକ୍ତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ପଠାଇ ଦିଆଯାଇଛି। ଅନ୍ୟ ଜଣେ ଡାକ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପୁରୁଣାଗଡ଼ ଓ ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ୩ ଦିନ ଲେଖାଏଁ ଡେପୁଟେସନରେ ଯାଉଛନ୍ତିି। ଆଉ ଜଣେ ଡାକ୍ତର ୪ ମାସ ହେଲା ଛୁଟିରେ ଥିବା ବେଳେ ଗତ ୮ ଦିନ ତଳେ ପୁଣି ଲମ୍ବା ଛୁଟିରେ ଯାଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ସେହି ମହିଳା ଦନ୍ତରୋଗ ଚିକିତ୍ସିକ ଓ ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ଏବେ ଡ୍ୟୁଟିରେ ଅଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ପ୍ରାୟ ୨୦୦ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଡାକ୍ତର ଅଭାବରୁ କେବଳ ଗର୍ଭବତୀ ମହିଳାଙ୍କୁ ଭର୍ତ୍ତି କରାଯାଉଛି । ଅନ୍ୟ ରୋଗୀମାନଙ୍କୁ ଆଉଟ୍‌ ଡୋର୍‌ରେ ଚିକିିତ୍ସା କରି ଘରକୁ ପଠାଇ ଦିଆଯାଉଛି କିମ୍ବା ଅନ୍ୟ ଡାକ୍ତରଖାନାକୁ ରେଫର କରି ଦିଆଯାଉଛି।

ସରକାର ଅନ୍ୟ ଡାକ୍ତରଖାନା ଭଳି ଏହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ନିରାମୟ ଯୋଜନାରେ ମାଗଣା‌ରେ ଔଷଧ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ରକ୍ତଚାପ ପୀଡ଼ିତ ଶଙ୍ଖପୁର ଗାଁର ଜଣେ ‌ବ୍ୟକ୍ତି କହନ୍ତି, କେତେବେଳେ ଏଠାରେ ଔଷଧ ମିଳୁଛି କେତେକ ବାହାରୁ କିଣିବାକୁ ପଡ଼ୁଛି। ସରକାର ନିରାମୟ ଯୋଜନାରେ ୧୭୨ ପ୍ରକାର ଔଷଧ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ତେବେ ଏହି ଡାକ୍ତରଖାନାକୁ କେବଳ ୪୫ ପ୍ରକାର ଔଷଧ ଦିଆଯାଉଥିବା କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି। ଯେତେବେଳେ ଯେଉଁ ଔଷଧ ଉପଲବ୍‌ଧ ରହୁଛି, ତାହା ରୋଗୀମାନଙ୍କୁ ଦିଆଯାଉଛି ବୋଲି ସେ କହିଛନ୍ତି। ବ୍ଲକ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଘନଶ୍ୟାମ ବେହେରାଙ୍କୁ ପଚାରିବାରୁ ସେ କହିଲେ, ‘ମୋ ସରକାର ’ ହେଉକି ଅନ୍ୟ ଯେଉଁ ଯୋଜନା କାର୍ଯ୍ୟକାରୀ କଲେ କ’ଣ ହେବ, ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର/ କର୍ମଚାରୀ ନାହାନ୍ତି ?

ସୂଚନା ଅନୁସାରେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୫ଟି ‌ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ପୁରୁଣାକୋଟ, ଟାଇଁସି, ଜଗନ୍ନାଥପୁର, ପୁୁରୁଣାଗଡ଼ ଆଦି ୪ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବି ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟଙ୍କ ଭରସାରେ କାମ ଚ‌ାଲିଛି। ୨୭ଟି ସବ୍‌ ସେଣ୍ଟର ମଧ୍ୟରୁ ୧୦ଟି ସ୍ବାସ୍ଥ୍ୟ କର୍ମୀ ନାହାନ୍ତି। ଆଜ୍ଞା, ଡାକ୍ତର/କର୍ମଚାରୀଙ୍କୁ କେତେବେଳେ ‘ବାପ ଧନ ’ କହି ତ ଆଉ କେତେବେଳେ ଭୟ ଦେଖାଇ କାମ ଆଦାୟ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର