ବରଡ଼ିହିରେ ଛେଳି ମଡ଼କ : ୧୦ ଦିନରେ ୧୦୦ ଛେଳି ମୃତ

ପାଳଲହଡ଼ା: ପାଳଲହଡ଼ା ବ୍ଲକର ଦୁର୍ଗମ ପଞ୍ଚାୟତ ବରଡ଼ିିହିର ଦୁଇଟି ଗାଁ ତନୁଗୋଳା ଓ ରଡ଼ାରେ ଛେଳି ମଡ଼କ ଦେଖାଦେଇଛି। ଅଜଣା ରୋଗରେ ୧୦ ଦିନ ମଧ୍ୟରେ ୧୦୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଛି। ଛେଳିର ମାଲିକମାନେ ମୃତ ଛେଳିକୁ ଏଣେତେଣେ ପିଙ୍ଗିବା ଦ୍ୱାରା ପଚାଗନ୍ଧ ବାହାରୁଛି। ଫଳରେ ପରିବେଶ ଦୂଷିତ ହୋଇ ଏଠାରେ ମହାମାରି ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗ୍ରାମର ଝାଡୁ ଦେହୁରୀଙ୍କ ୧୪ ଟି ଛେଳି ଅଜଣା ରୋଗରେ ମରିଛନ୍ତି। ଶ୍ରୀ ଦେହୁରୀଙ୍କ କହିବାନୁଯାୟୀ, ଏହି ରୋଗରେ ପ୍ରଥମେ ଛେଳିର ଗାଲ ଫୁଲିଯାଏ ଓ ପରେ ଆଖିରୁ ପାଣି ବାହାରେ। ପତଳା ଝାଡ଼ାହେବା ପରେ ଛେଲିର ମୃତ୍ୟୁ ଘଟିଥାଏ। ଏପରିସ୍ଥିତିରେ ବରଡ଼ିହିରୁ ତନୁଗୋଳା ଓ ରଡା ୮ କିଲୋମିଟର ରାସ୍ତା ମଧ୍ୟରେ ଥିବା ଏକ ପୋଲ ବନ୍ୟା ପାଣିରେ ଧୋଇଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ତେଣୁ ଉକ୍ତ ଦୁଇଟି ଗ୍ରାମକୁ ଡାକ୍ତରୀ ଦଳ ଯିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ନ କଲେ ବହୁ ସଂଖ୍ୟାରେ ଛେଲିଙ୍କ ମୃତ୍ୟୁ ସହ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି ।
ଏ ସଂପର୍କରେ ପାଳଲହଡ଼ା ଭାରପ୍ରାପ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡ. ଜିତେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଲେ, ୧୦ ଦିନ ପୂର୍ବେ ଏକ ଡାକ୍ତରୀ ଦଳ ବହୁ କଷ୍ଟରେ ସେହି ଦୁଇଟି ଗ୍ରାମକୁ ଯାଇ ଅଳ୍ପ ଛେଳିଙ୍କୁ ପ୍ରତିଷେଧକ ଟିକା ଓ ଇଂଜେକସନ ଦେଇଥିଲେ । ସେତେବେଳେ ୧୦ଟି ଛେଲି ମରିଥିଲେ ଆଜିର ଦିନରେ ଛେଳି ସଂଖ୍ୟା ଅଧିକ ହେବା ଅସମ୍ଭବ ନୁହେଁ। ତେବେ ଆସନ୍ତାକାଲି ଆମେ ଯେ କୌଣସି ପ୍ରକାରେ ଉକ୍ତ ଦୁଇଟି ଗ୍ରାମକୁ ଯାଇ ପ୍ରତିଷେଧକ ବ୍ୟବସ୍ଥା କରିବୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର