କିଶୋରନଗର : ଆଜି ସନ୍ଧ୍ୟାରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି। ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଏଥର କେଉଁଠୁ ନିର୍ବାଚନ ଲଢ଼ିବେ, ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବାମୁରଠାରେ ବିଜେପିର ସ˚କଳ୍ପ ଯାତ୍ରାରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ୨୦୧୯ ନିର୍ବାଚନ ଲଢ଼ିବା ସଂକ୍ରାନ୍ତର ଏକ ପ୍ରଶ୍ନରେ ସେ ନିର୍ବାଚନରେ ଗୁଣ୍ଡୁଚିମୂଷାର ଭୂମିକା ତୁଳାଇବେ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ବି ସେ ଏଡାଇ ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହେଲିକପ୍ଟର ଯୋଗେ ଆସି ବାମୁରରେ ଓହ୍ଲାଇବା ପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ବାମୁର ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ଶିବ ମନ୍ଦିର ନିକଟସ୍ଥ ପଡ଼ିଆରେ ଜିଲ୍ଲା ବିଜେପି ସଭାପତି ଭାଗୀରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରକୁ ହଟାଇବା ଦରକାର। ଲକ୍ଷେ କୋଟି ଟଙ୍କା ଓଡ଼ିଆଙ୍କ ଉପରେ ଋଣ ଭାର ହେଲାଣି। ମୋଦୀ ସରକାରଙ୍କ କିଷାନନିଧି ଓ ଆୟୁଷ୍ମାନ ଯୋଜନାକୁ ବନ୍ଦ କରିଦେଇଥିବାରୁ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କଦାପି କ୍ଷମା ଦେବେନାହିଁ। କେନ୍ଦ୍ରରେ ମୋଦୀ ସରକାର ଆସିଲେ ୫୫ ନ˚ ଜାତୀୟ ରାଜପଥଠାରୁ ବୌଦ୍ଧ ମହାନଦୀ ଦେଇ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମତବ୍ୟକ୍ତ କରିଥିଲେ। ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜିତ ପ୍ରଧାନ ସଭା ସ˚ଯୋଜନା କରିଥିବା ବେଳେ ଚିତ୍ତର˚ଜନ ମେହେର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।