ଟ୍ରକ୍‌ ଧକ୍‌କାରେ ଶଗଡ଼ ଭାଙ୍ଗିବା ଘଟଣା:ଗାଡ଼ି ଚାଳକ, ହେଲପର୍‌ ଅଟକ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ମାମୁରିଆ ଗାଁରେ ଗତ ୨୮ ତାରିଖରେ ଏକ ଟ୍ରକ୍‌ ଧକ୍‌କାରେ ଗୋଟିଏ ଶଗଡ଼ ଭାଙ୍ଗିଯିବାସହ ସେଥିରେ ଯାଉଥିବା ଗାଁର ଯୁଧିଷ୍ଠିର ଦେହୁରୀ ପ୍ରାଣ ହରାଇଥିଲେ। ତାଙ୍କ ବାପା ରଘୁନାଥ ଦେହୁରୀ ଏବଂ ବଳଦ ୨ଟି ଗୁରୁତର ଆହତ ହୋଇଥିଲେ। ଫେରାର ହୋଇଯାଇଥିବା ଟ୍ରକ୍‌କୁ ଆଜି ଗ୍ରାମବାସୀ ଜବତ କରିବା ସହ ଏହାର ଡ୍ରାଇଭର୍‌, ହେଲପର୍‌ଙ୍କୁ ଅଟକ ରଖିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ (ଓଡି୦୯ସି-୪୫୧୫) ଜିନ୍ଦଲ କାରଖାନାରେ ଲୁହା ପଥର ଖାଲିକରି ଫେରିବା ସମୟରେ ଗ୍ରାମବାସୀ ତାହାକୁ ଅଟକ ରଖିଥିଲେ। ଟ୍ରକ୍‌ ଚାଳକ ହେମନ୍ତ କୁମାର ସାହୁ(୩୫) ଓ ହେଲପର୍‌ ଅମୂଲ୍ୟ କୁମୁରା(୨୫)ଙ୍କୁ ସେମାନେ ଗାଁ କୋଠଘରଠାରେ ୨ ଘଣ୍ଟା ଅଟକ ରଖିଥିଲେ। ଥାନାଧିକାରୀ ନିର୍ମଳା ଗୋଛାୟତ ସଦଳବଳ ପହଞ୍ଚି ଉକ୍ତ ଟ୍ରକ୍‌ ଜବତ କରିବା ସହ ଏହାର ଚାଳକ ଓ ହେଲପର୍‌ଙ୍କୁ ଉଦ୍ଧାର କରିଥିଲେ। ଟ୍ରକ, ଚାଳକ ଓ ହେଲପରଙ୍କ ଘର ସୁନ୍ଦରଗଡ କୋଏଡାରେ। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଗତ ୨୮ ତାରିଖ ସକାଳେ ଚାଳକ ଶୋଇପଡ଼ିଥିଲେ। ହେଲପର୍‌ ଟ୍ରକ୍‌ ଚଳାଇ କୋଏଡାକୁ ଫେରିବା ସମୟରେ ଟ୍ରକ୍‌ ଶଗଡ଼ ସହିତ ଧକ୍‌କା ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର