ଚିଟଫଣ୍ଡ ଠକେଇ ମାମଲା:‘ଫ୍ଲୋରିସ୍‌ ଇଣ୍ଡିଆ’ର ମ୍ୟାନେଜର ଗିରଫ

ପାଳଲହଡ଼ା: ପାଳଲହଡ଼ା ଟାଉନରେ ୨୦୧୩ ମସିହାରେ ‘ଫ୍ଲୋରିସ୍ ଇଣ୍ଡିଆ’ ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥା ଜମାକାରୀଙ୍କଠାରୁ ୯୧ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ପାଳଲହଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଫେରାର ହୋଇ ଯାଇଥିବା ମ୍ୟାନେଜର ପୁରୁଷୋତ୍ତମ ସାହୁ (୩୯)କୁ ପୁଲିସ ଗିରଫ କରି ଆଜି କୋର୍ରଚାଲାଣ କରିଛି।
ସୂଚନାଯୋଗ୍ୟ,୨୦୧୩ ମସିହାରେ ପାଳଲହଡ଼ା ଟାଉନ୍‌ରେ ଏକ ବେସରକାରୀ ଭଡ଼ା ଘରେ ‘ଫ୍ଲୋରିସ୍ ଇଣ୍ଡିଆ’ ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲାଯାଇଥିଲା। ଏଥିରେ ୧୫ ପ୍ରତିଶତ ଉର୍ଦ୍ଧ୍ବ ସୁଧ ଦେବା ପ୍ରଲୋଭନ ଦେଖାଇ ଜମାକାରୀଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିଲା। ପରେ ଏହି ସଂସ୍ଥାର ମ୍ୟାନେଜର ତଥା ପାଳଲହଡ଼ା ଥାନା ବଡ଼ ବାଗଦିର ଗ୍ରାମର ପୁରୁଷୋତ୍ତମ ସାହୁ ଫେରାର୍‌ ହୋଇଯାଇଥିଲା। ଅନ୍ୟପକ୍ଷରେ ଜଣେ ଜମାକାରୀ ସଂଜୟ ସୋନକାର ତାଙ୍କର ଟଙ୍କା ଫେରସ୍ତ ନ ‌େହବାରୁ ପାଳଲହଡ଼ା ଥାନାରେ ଏତଲା ଦେଇଥିଲେ। ପାଳଲହଡ଼ା ପୁଲିସ୍‌ ଏକ ମାମଲା ରୁଜୁ କରି ଫେରାର୍‌ ମ୍ୟାନେଜର ପୁରୁଷୋତ୍ତମକୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଥିଲା। ମ୍ୟାନେଜର ଜମାକାରୀଙ୍କଠାରୁ ସମୁଦାୟ ୯୧ ଲକ୍ଷ ୨୩ ହଜାର ୬୬୭ ଟଙ୍କା ଠକି ନେଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ପାଳଲହଡ଼ା ଥାନା ସବ୍‌ଇନ୍‌ସପେକ୍ଟର ସମରଜିତ ନାୟକ, ଏଏସ୍‌ଆଇ ରୁଷିନ୍ଦ୍ର ପ୍ରଧାନ, ଦୁଧିମାନ ସେଠୀ ସଦଳବଳ ଚଢ଼ଉ କରି ବଡ଼ବାଗଦରି ଗ୍ରାମରୁ ପ‌ୁରୁଷୋତ୍ତମକୁ ଗିରଫ କରି ଥାନାକୁ ଆଣିଥିଲେ। ପୁରୁଷୋତ୍ତମକୁ ଆଜି କଟକର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର