ଭାଲୁମୁଣ୍ଡାରେ ହାତୀ ଉପଦ୍ରବ :ଘର ଭାଙ୍ଗିଲେ, ଅଳ୍ପକେ ବର୍ତିଲେ ଦମ୍ପତି

ପର୍ଜଙ୍ଗ: ପର୍ଜଙ୍ଗ ବ୍ଲକ୍‌ ବ୍ରାହ୍ମଣୀ ନଦୀକୂଳ ଗାଁଁଗୁଡ଼ିକରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାତିରେ ହାତୀପଲ ଭାଲୁମୁଣ୍ଡା ଗାଁ’ର ରଗଡ଼ି ସାହିରେ ପଶି ଘର ଭାଙ୍ଗି ଚାଉଳ ଖାଇ ନଷ୍ଟ କରିଥିଲେ। ହାତୀ ଆକ୍ରମଣରୁ ଘରେ ଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ହାତୀପଲ ରଗଡ଼ି ସାହିରେ ପଶି ଅଲେଖ ନାଏକଙ୍କ ଦୁଇ ବଖରା ଘର ଭାଙ୍ଗି ଦେଇଥିଲେ। ଘରେ ଥିବା ଚାଉଳ ଖାଇ ରାସ୍ତାରେ ଫୋପାଡ଼ିିଥିଲେ। ଏହି ସମୟରେ ଅଲେଖ ଓ ତାଙ୍କ ପତ୍ନୀ ପାଖ ଘରେ ଶୋଇଥିଲେ। ପଡ଼ୋଶୀମାନେ ସେଠାରେ ପହଞ୍ଚିଯିବାରୁ ଅଲେଖ ଓ ତାଙ୍କ ପତ୍ନୀ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତି ଯାଇଥିଲେ। ପରେ ହାତୀପଲ ସାହିର ଜଗତା ନାଏକଙ୍କ ରୋଷେଇ ଘର ଭାଙ୍ଗି ହାଣ୍ଡିରୁ ପଖାଳ ଖାଇବା ସହ ହାଣ୍ଡିକୁ ଫିଙ୍ଗି ଗୁଡ଼ ଡବାକୁ ବୋହି ନେଇଥିଲେ।
ରୋଡ଼, କମର, ପାଳ ସାହି, କନ୍ଦରସିଂହା, ଡମୋଳ, ଖାଲପାଳ ଆଦି ନଦୀ କୂଳରେ ଥିବା ଗାଁ ଗୁଡିକରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ପଚରାଯିବାରୁ ଫରେଷ୍ଟର ହରମୋହନ ନାଏକ କହିଛନ୍ତି ଯେ, ଭାଗ ଭାଗ ହୋଇଥିବା ହାତୀ ଆଜିି ସନ୍ଧ୍ୟାରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଏକାଠି ହୋଇଥିଲେ। ଦିନେ ଦୁଇ ଦିନ ମଧ୍ୟରେ ହାତୀପଲ ନଦୀପାର ହୋଇ ପଳାଇଯିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର