ପୂର୍ବ ଶତ୍ରୁତାରୁ ସାଂଘାତିକ କାଣ୍ଡ : ଘର କବାଟ କିଳି ନିଆଁ ଲଗାଇଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍ ଟାଙ୍ଗିରି ଗ୍ରାମ ଥଟାରୀ ସାହିରେ ଗତକାଲି ମଧ୍ୟରାତ୍ରିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଂଘାତିକ କାଣ୍ଡ ଘଟିଛି। ଗ୍ରାମର ଏକ ପରିବାର ଲୋକ ଶୋଇଥିବା ସମୟରେ ଘର ବାହାରୁ କବାଟ କିଳି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଦୁଇ ବଖରା ଚାଳ ଘର ପୋଡିଯାଇଛି। ଏ ସଂପର୍କରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ରାତି ପ୍ରାୟ ସାଢେ ୧୨ ଟାରେ ମୋହନ ବେହେରା(୬୦)ଙ୍କ ପରିବାର ଲୋକ ଘର ଭିତରେ ଶୋଇଥିଲେ। ଏହି ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା। ନିଆଁର ଉତ୍ତାପରେ ପରିବାର ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ନିଆଁରୁ ରକ୍ଷା ପାଇବା ପାଇଁ ସେମାନେ ଘର ବାହାରକୁ ଯିବା ବେଳେ ବାହାରୁ କେହି କବାଟ କିଳି ଦେଇଥିବା ଜାଣିବାରୁ ପାଇଥିଲେ। ପରେ ସେମାନେ କବାଟ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ। ଏହାର ଅଧଘଣ୍ଟା ମଧ୍ୟରେ ଅଗ୍ନିକାଣ୍ଡରେ ଘରେ ଥିବା ୩୫ କେଜି ବିପିଏଲ୍ ଚାଉଳ, ଲୁଗାପଟା, ୪ ହଜାର ଟଙ୍କା ସହିତ ସମସ୍ତ ଜିନିଷପତ୍ର ପୋଡିଯାଇଥିଲା। ଖବର ପାଇ ଛେଣ୍ଡିପଦା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପଡ଼ୋଶୀଙ୍କ ସହିତ ପୂର୍ବରୁ ଶତ୍ରୁତା ଥିବାରୁ ପଡ଼ୋଶୀମାନେ ଘର ପୋଡିଦେଇଥିବା ନେଇ ମୋହନ ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କୁ ଗିରଫ ପାଇଁ ମୋହନ ଓ ଗ୍ରାମବାସୀ ଦାବି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର