ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନରେ ଦୁର୍ନୀତି:ଜାଲ୍ ଭାଉଚରରେ ଟଙ୍କା ଆତ୍ମସାତ୍!

ମାଧପୁର: ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ୍‌ ଅନ୍ତର୍ଗତ କିଆକଟା ରେଞ୍ଜ ଧୂଳିଆପଡ଼ା ଫଡ଼ିରେ ବ୍ୟାପକ ଅନିୟମିତତା ହୋଇଛି। ଜାଲ୍ ଦସ୍ତଖତରେ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହସ୍ତଗତ ହୋଇଛି।
ଆଠମଲ୍ଲିକ କେନ୍ଦୁପତ୍ର ଡିଏଫଓ କାର୍ଯ୍ୟାଳୟ(ପତ୍ର ସ˚ଖ୍ୟା ୫୨୭/ ୧.୩.୨୦୧୯)ରୁ ସୂଚନା ଅଧିକାର ଆଇନ ଜରିଆରେ ପ୍ରାପ୍ତ ତଥ୍ୟ ଅନୁସାରେ, ଭାଉଚର ନମ୍ବର ୨୧କେଟି ଏପ୍ରିଲ ୨୦୧୭ ରେ ଧୂଳିଆପଡ଼ା ଫଡ଼ି ମରାମତି ପାଇଁ ସୁଶୀଲ ପ୍ରଧାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ବାସ୍ତବରେ ଶ୍ରୀ ପ୍ରଧାନଙ୍କୁ କିନ୍ତୁ ମଜୁରି ବାବଦକୁ ମାତ୍ର ୮ଶହ ଟଙ୍କା ମିଳିଥିବା ଜଣାପଡ଼ିଛି। ଶ୍ରୀ ପ୍ରଧାନ ନିଜେ ଏହା ସ୍ବୀକାର କରିଛନ୍ତି। ‌ସେହିପରି ଭାଉଚର ନମ୍ବର ୨୨ କେଟି ଏପ୍ରିଲ ୨୦୧୭ରେ ଏହି ଫଡ଼ି ମରାମତି କାମ ପାଇଁ ବଳଭଦ୍ର ପ୍ରଧାନଙ୍କୁ ୧୦ ହଜାର ୯ଶହ ଟଙ୍କା ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ବଳଭଦ୍ରଙ୍କୁ ଏ‌ହି ଟଙ୍କା ଏପର୍ଯ୍ୟନ୍ତ ମିଳି ପାରିନାହିଁ। ଉକ୍ତ ଫଡ଼ି‌ରେ କାର୍ଯ୍ୟରତ ମୁନ୍‌ସୀ ଧରଣୀଧର କମ୍ପ ଏପଟେ ନିଜ ହାତରୁ ବଳଭଦ୍ରଙ୍କୁ ୪ ହଜାର ୫ ଶହ ଟଙ୍କା ପ୍ରଦାନ କରିଥିବା କହିଛନ୍ତି। ବଳଭଦ୍ରଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀ କମ୍ପ ଏହି ଅର୍ଥ ଦେଇଥିବା କହିଛନ୍ତି। ଭାଉଚର ନମ୍ବର ୮କେଟି ମେ ୨୦୧୭ରେ ନିତ୍ୟାନନ୍ଦ ଭୋଇଙ୍କୁ ୧୬ ହଜାର ୨୮୦ ଟଙ୍କା ଦିଆଯାଇଥିବା ଉଲ୍ଲେଖ ରହିଛି। ନିତ୍ୟାନନ୍ଦ କିନ୍ତୁ ମାତ୍ର ୩ ହଜାର ୨ଶହ ଟଙ୍କା ପାଇଥିବା କହିଛନ୍ତି। ଦିନମଜୁରିଆ ନିତ୍ୟାନନ୍ଦ ବଡ଼ କଷ୍ଟରେ ପରିବାର ପୋଷଣ କରୁଥିବା ବେଳେ ତାଙ୍କ ନାମରେ ବି ମିଥ୍ୟା ଭାଉଚର ଜରିଆରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଧୂଳିଆପଡ଼ା ଫଡ଼ିରେ ପତ୍ର ଶୁଖା ଲେଉଟା ଓ ଥାପି ମାରିବା (ଡ୍ରାଇଙ୍ଗ ଏଣ୍ତ ଷ୍ଟୋରେଜ୍‌) ଆଦି କାମ ପାଇଁ ବାଲିର ଆବଶ୍ୟକତା ରହିଛି। ଚାରି ଟ୍ରିପ୍‌ ବାଲି ଅଣାଯାଇଥିବା ନେଇ ବି ମିଥ୍ୟା ଭ‌ାଉଚର କରାଯାଇଥିବା କୁହାଯାଇଛି। ବିଭାଗୀୟ ଅଧିକାରୀମାନେ ଚଞ୍ଚକତା କରି ବ୍ଲାଙ୍କ୍‌ ଭାଉଚର ଫର୍ମରେ ଶ୍ରମିକମାନଙ୍କଠାରୁ ଆଗୁଆ ଦସ୍ତଖତ କରାଇ ନେଇଛନ୍ତି। ପରବର୍ତ୍ତୀ ସମୟରେ ନିଜ ଇଚ୍ଛା ଅନୁସାରେ ମିଥ୍ୟା ଭାଉଚର ପ୍ରସ୍ତୁତ କରି ମୋଟା ଅଙ୍କର ଟଙ୍କା ସରକାରୀ ଅର୍ଥ ହଡ଼ପ କରିଥିବା କୁହାଯାଇଛି। ଗତ ୨୦୧୭-୧୮ ମସିହାରେ ନିର୍ମିତ ଧୂଳିଆପଡ଼ା ସ୍ଥାୟୀ ଫଡ଼ି ଗୃହର କାନ୍ଥ, ପିଲାର୍ ଆଦି ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ଯୋଗୁଁ କେତେବେଳେ ତାହା ଭାଂଗିଯିବ କହିହେବ ନାହିଁ ବୋଲି କୁହାଯାଉଛି। ଏଭଳି କାମ ପାଇଁ ଫରେଷ୍ଟର, ରେଂଜ ଅଧିକାରୀଙ୍କ ଭୂମିକା ସନ୍ଦେହଘେରରେ ରହିଛି। ଅପରପକ୍ଷରେ ଫଡି ଘର ନିର୍ମାଣ ସଂକ୍ରାନ୍ତ ଖର୍ଚ୍ଚ ସଂପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଧୂଳିଆପଡ଼ା ଫଡ଼ିର ମୁନ୍‌ସୀ ଧରଣୀଧର କମ୍ପ ଏବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ୧ ତାରିଖରୁ ସବୁଆଡ଼େ କେନ୍ଦୁଗୋଛା କଟା କାମ ଆରମ୍ଭ ହୋଇଛି। ହେଲେ ଏହି ଫଡ଼ି ଅଂଚଳରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ମୁନ୍‌ସୀ ଶ୍ରୀ କମ୍ପଙ୍କୁ କାମ ନଯୋଗାଇବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁପତ୍ର ତୋଳିବା, ପତ୍ର ଶୁଖା,ଲେଉଟା, ଥାପି ମାରିବା ଆଦି କାମ ଯୋଗୁଁ ଅଂଚଳର ଗରିବ ଲୋକଙ୍କୁ ଅନେକ ଦିନ ପର୍ଯ୍ୟନ୍ତ କର୍ମନିଯୁକ୍ତି ମିଳିଯାଇଥାଏ। ବିଭାଗର କେନ୍ଦୁଗୋଛା କଟା ବନ୍ଦ ନିଷ୍ପତ୍ତି ଯୋଗୁଁ ଏସବୁ କାମ କରି ପରିବାର ପୋଷୁଥିବା ଅଂଚଳର ଗରିବ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ।
ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଏବେ ଶ୍ରମିକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜିରଆରେ ପ୍ରାପ୍ୟ ପ୍ରଦାନ କରାଯାଉଥିବା ବେଳେ ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁର୍ନୀତି ପାଇଁ ଶ୍ରମିକଙ୍କୁ ନଗଦ ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଉଛି ବୋଲି ଅଭିଯୋଗ ହୋଇଛି। ଧୂଳିଆପଡ଼ା ଫଡ଼ିର ଗୋଛା କଟେଇ ସ˚ପର୍କରେ ଡିଏଫ୍‌ଓ ଶରତ ଚନ୍ଦ୍ର ମହାରଣାଙ୍କୁ ପଚାରିବାରୁ ସେ ଯେହେତୁ ମୁନ୍‌ସୀ ଆର‌୍‌ଟିଆଇରେ ତଥ୍ୟ ମାଗି ସୂଚନା ନେଇଛନ୍ତି, ତାଙ୍କୁ କାମ ଦିଆଯାଇ ପାରିବ ନାହିଁ। ତେବେ ଶୀଘ୍ର ଗୋଛାକଟେଇ କାମ ଆରମ୍ଭ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର