ସକାଳୁଆ ଅଫିସ୍‌ରେ ଖିଲାପି:୫ଟାକ୍ସ କଲେକ୍ଟର, ୨ପିଅନଙ୍କୁ ଦଣ୍ଡ

ବେହାଲ୍‌ କାମାକ୍ଷାନଗର ଏନ୍‌ଏସି ଅଫିସ୍‌:ତାଲା ଠୁଙ୍କିଲେ ଅଧ୍ୟକ୍ଷ

କାମାକ୍ଷାନଗର: ସକାଳୁଆ ଅଫିସ୍‌ରେ ଚରମ ଅବହେଳା। ଠିକଣା ସମୟରେ ବାବୁମାନଙ୍କ ଦେଖା ମିଳୁନି। ଦିନ ୭ଟା ୪୦ଯାଏ ଚୌକି ଖାଲି ପଡ଼ିଛି। ଏକଥା ପ୍ରମାଣ ସହିତ ଧରା ପଡ଼ିବା ପରେ କାମାକ୍ଷାନଗର ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ଆଜି ୭ଜଣ ଖିଲାପି ବାବୁଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫ଜଣ ଟାକ୍ସ କଲେକ୍ଟର ଓ ୨ଜଣ ପିଅନଙ୍କର ଦରମା ବନ୍ଦ କରିବା ସହିତ ବିଳମ୍ବର କାରଣ ଦର୍ଶାଇବାକୁ ନିର୍ଦେଶ ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ଯୋଗୁ ସରକାରୀ ନିୟମ ବଦଳିଛି। ଦିନ ୧୦ଟା ପରିବର୍ତ୍ତେ କେବେଠୁ ସକାଳୁଆ ଅଫିସ ଖୋଲିବାକୁ ସରକାରୀ ନିର୍ଦେଶନାମା ଜାରି ହେଲାଣି। କିନ୍ତୁ ସରକାରୀ ନିୟମ ବଦଳିଛି ସତ, କିନ୍ତୁ କାମାକ୍ଷାନଗର ଏନ୍‌ଏସିର ସରକାରୀ ବାବୁଙ୍କର ବିଳମ୍ବିତ ଅଭ୍ୟାସ ସୁଧୁରି ପାରି ନାହିଁ।

ସକାଳ ୭ଟା ୪୦ମିନିଟ୍‌ରେ ଏନ୍‌ଏସି ଅଧ୍ୟକ୍ଷ ଶ୍ରୀ ପରିଡ଼ା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଦେଖିଲା ବେଳକୁ ଅନେକ ଚୌକି ଫାଙ୍କା ପଡ଼ିଥିଲା। ତେଣୁ ତୁରନ୍ତ ଏନ୍‌ଏସିର ମୁଖ୍ୟ ଫାଟକ ବନ୍ଦ କରି କେଉଁ ବାବୁମାନେ ଆସି ନାହାନ୍ତି ତାହାର ତନାଘନା କରିଥିଲେ। ସେଥିରୁ ୫ଜଣ ଟାକ୍ସ କଲେକ୍ଟର, ୨ଜଣ ପିଅନ ସହିତ ଏନ୍‌ଏସି ନିର୍ବାହୀ ଅଧିକାରୀ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ନିର୍ବାହୀ ଅଧିକାରୀ କୌଣସି କାମରେ ବାହାରକୁ ଯାଇଥିବାରୁ ତାଙ୍କୁ ମାଫ୍‌ କରାଯାଇଛି। ଅନ୍ୟ ୭ଜଣଙ୍କ ବିରୋଧରେ ଅଧ୍ୟକ୍ଷ ଶ୍ରୀ ପରିଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାହିଁକି ଆସିବାରେ ବିଳମ୍ବ ହେଲା ତାହାର କାରଣ ଦର୍ଶାଇବାକୁ ଅଧ୍ୟକ୍ଷ ଶ୍ରୀ ପରିଡ଼ା ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର