ସୁଲେଇମାଲକୁ ନାହିଁ ସବୁଦିନିଆ ରାସ୍ତା :ବିବାହ ପାଇଁ ଖରାଦିନକୁ ଅପେକ୍ଷା

ନାଲକୋନଗର: ସ୍ବାଧୀନତାର ୭୨ ବର୍ଷ ପରେ ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍‌ କୁରୁଡୁଲୁ ପ˚ଚାୟତ ସୁଲେଇମାଳ ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ। ରାସ୍ତା ନଥିବାରୁ ଗାଁ ଲୋକଙ୍କୁ ହିନସ୍ତା ହେବାକୁ ପଡ଼ୁଛି।
ବଅଁରପାଳ ବ୍ଲକ୍‌ କୁରୁଡୁଲୁ ପ˚ଚାୟତ ଅନ୍ତର୍ଗତ ୧୧ ନମ୍ବର ଵାର୍ଡ ସୁଲେଇମାଳ। ଗାଁରେ ଅଛନ୍ତି ୩୦ ପରିବାର। ଭୋଟର ସଂଖ୍ୟା ହେଲା ୧୮୦। ଗରିବ ଅନୁସୂଚିତ ଜାତିର ଲୋକମାନେ ବସବାସ କରୁଥିବା ଏହି ଗାଁର ମୌଳିକ ଅଧିକାର ବଂଚିତ ହୋଇଛନ୍ତି। ଗାଁକୁ ଯିବାକୁ ରାସ୍ତାଟଏ ନାହିଁ। ନାଳ ପାର ହେବା ପାଇଁ ପୋଲଟିଏ ନାହିଁ। ବର୍ଷକ ୧୨ ମାସ ନାଳ ପାର ହେବା ପାଇଁ ଏକମାତ୍ର ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟ ହିଁ ସାହା ଭରସା। ପ୍ରତିଦିନ ଏମିତି ନାଳ ପାର ହୋଇ ଯିବା ଆସିବା କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କୌଣସି ସରକାରୀ ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଜରୁରୀ ସେବା ପହ˚ଚିପାରୁ ନଥିବା ବେଳେ ଏହି ଗାଁକୁ ବର୍ଷ ବର୍ଷ ଧରି ରାସ୍ତା ନଥିବା ଯୋଗୁଁ ଚାରିଥାକିଆ ଯାନ ଯିବା ସାତ ସପନ। ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ। ତେଣୁ ଗର୍ଭବତୀ ମହିଳାମାନେ ଚିକିତ୍ସା ସେବା ଆଦି ପାଇଁ ନିଜ ବାପଘରକୁ ଚାଲିଯିବାକୁ ବାଧ୍ୟ ହୁଅନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୁଏ ତାଙ୍କୁ ୨ ଫୁଟ କାଦୁଅ, ଖାଲଢିପରେ ୩ କିଲୋମିଟର ବୋହି ନେବା ପରେ ଆମ୍ବୁଲାନ୍ସ ସେବା ମିଳିବା ସମ୍ଭବ ହୋଇଥାଏ। କିଛି ମାସ ତଳେ ଜଣେ ବ୍ୟକ୍ତିଙ୍କ ଗାଈଗୁହାଳରେ ନିଆଁ ଲାଗି ଯାଇଥିଲା। ଦମକଳ ଗାଡ଼ି ଆସିବା ସମ୍ଭବ ନହେବାରୁ ତାହା ସଂପୂର୍ଣ୍ଣ ଜଳିଯାଇଥିଲା। ଅବଶ୍ୟ ଗାଈଗୋରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଗାଁଲୋକେ ବିବାହ ପାଇଁ ଖରା ଋତୁକୁ ଅପେକ୍ଷା କରି ରହିଥାନ୍ତି। ଚାଷ କାମ ସରିବା ପରେ ଖରା ଦିନେ ବିଲ ମଝିରେ ଯାତାୟତ କରିବା ସୁବିଧା ହେଉଥିବାରୁ ସେହି ସମୟରେ ବିବାହ କରିବାକୁ ଲୋକେ ପସନ୍ଦ କରିଥାନ୍ତି। ନିର୍ବାଚନ ସମୟ ପାଖେଇ ଆସିଲେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି ରାଜନେତା। ଭୋଟ ସରିଗଲେ ପ୍ରତିଶ୍ରତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଏ। ଥରେ ସ୍ଥାନୀୟ ବିଧାୟକ ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ଅଧା ବାଟରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ କହନ୍ତି ଗ୍ରାମବାସୀ। ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ େକୗଣସି ସୁଫଳ ମିଳୁନାହିଁ।
ସୁଲେଇମାଳ ଗ୍ରାମରେ ପ୍ରାୟ ୧୫ଜଣ ଶିଶୁ ରହିଛନ୍ତି। ହେଲେ ଶିଶୁଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ। ଗ୍ରାମରେ ମୁଣ୍ତରେ ଗୋଟିଏ ୨୦୦୯ ମସିହାରେ ଗୋଟିଏ ପ୍ରାଥମିକ ସ୍କୁଲ୍‌ ରହିଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ସୁବିଧା ଥିବା ଏହି ବିଦ୍ୟାଳୟରେ ୩୦ ଜଣ ପିଲା ରହିଛନ୍ତି। ପଢ଼ିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଗମନାଗମନର ଅସୁବିଧା ହେତୁ ଆଗକୁ ବଢ଼ି ନପାରି ବହୁ ପିଲା ବହି ବସ୍ତାନିରେ ଡୋରି ବାନ୍ଧୁଛନ୍ତି। ସ୍ବଚ୍ଛ ଭାରତ ଯୋଜନାରେ ଦୁଇଟି ପାଇଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ଉକ୍ତ ପାଇଖାନା ବ୍ୟବହାର କରାଯାଉନାହିଁ। ଶୀଘ୍ର ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରିବା ଆରମ୍ଭ ହେବ ବୋଲି ୧୧ ନମ୍ବର ଵାର୍ଡର ଵାର୍ଡମେମ୍ବର ଶୈଳେନ୍ଦ୍ରୀ ନାୟକ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଦୀର୍ଘ ଦିନ ହେବ ଅବହେଳିତ ହୋଇ ଅଛନ୍ତି ବୋଲି ସୁଲେଇମାଳ ଗ୍ରାମର ଭଜରା ନାୟକ, ତ୍ରିନାଥ ନାୟକ, ପ୍ରତାପ ନାୟକ, ଦୋଳ ନାୟକ, ନାରାୟଣ ନାୟକ, ଉମା ନାୟକ, ଲିପି ନାୟକ, ହାର ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର