ବିସ୍କୁଟ୍‌ ଲୋଭ ଦେଖାଇ ନାତୁଣୀକୁ ଦୁଷ୍କର୍ମ; ବୁଢ଼ାବାପା ଗିରଫ

ପାଳଲହଡ଼ା: ନିଜ ପୁତୁରାର ୮ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ପାଳଲହଡ଼ା ଥାନା ମହୁରାପାଣି ଗାଁର ୬୦ ବର୍ଷର ବୃଦ୍ଧ ଭୁବନ ନାଏକଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ୧୦ ତାରିଖରେ ନାବାଳିକାର ମାଆ ଘରେ ନଥିଲେ। ବିସ୍କୁଟ୍‌ ଖାଇବାକୁ ଟଙ୍କା ଦେବାକୁ କହି ଭୁବନ ନାବାଳିକାକୁ ନିଜ ଘରକୁ ଡାକି ଦୁଷ୍କର୍ମ କରିଥିଲେ। ନାବାଳିକା ହାତରେ ସେ ୧୦ ଟଙ୍କା ଧରାଇ ଦେଇ ଏ କଥା କାହାକୁ ନକହିବାକୁ ତାଗିଦ କରିଥିଲେ। ମାଆ ଫେରି ଦେଖିଲେ ଝିଅ ବିସ୍କୁଟ୍‌ ଖାଉଛି। ବିସ୍କୁଟ୍‌ କେଉଁଠୁ ଆଣିଲୁ ବୋଲି ଖୋଳତାଡ଼ କରି ପଚାରିବାରୁ ନାବାଳିକା ମାଆ ଆଗରେ ସବୁକଥା କହିଥିଲେ। ଗତକାଲି ଗାଁରେ ଏ ସଂପର୍କରେ ଏକ ସଭା ବସିଥିଲା। ଏହି ଅପକର୍ମ କରିଥିବା ଭୁବନ ସଭାରେ ସ୍ୱୀକାର କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ପୀଡ଼ିତା ନାବାଳିକା ଆଜି ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ କେସ୍‌ ନମ୍ବର ୫୪/୨୦୧୮ରେ ଏକ ମାମଲା ରୁଜୁ କରିବା ସହ ଭୁବନଙ୍କୁ ଗିରଫ କରିଛି ଏବଂ ନାବାଳିକାର ଡାକ୍ତରୀ ପରୀକ୍ଷା କରାଇଛି। ଥାନାଧିକାରୀ ସୁକୁମାର ତ୍ରିପାଠୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର