ପାଲଲହଡ଼ା ବ୍ଲକରେ କେଳେଙ୍କାରୀ:ଭୂତ ଖାଇଗଲେ ମରୁଡ଼ି ସହାୟତା

ପାଳଲହଡ଼ା: ଭୂତକୁ ଦିଆଯାଇଛି ମରୁଡ଼ି ସହାୟତା। କେବଳ ଭୂତ ନୁହନ୍ତି, ଅଣଚାଷୀ, ମରୁଡ଼ି କ୍ଷତିଗ୍ରସ୍ତ ହୋଇନଥିବା ବ୍ୟକ୍ତି, ସ୍କୁଲ୍‌ ଛାତ୍ରଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କ ଏକାଉଣ୍ଟରେ ଟଙ୍କା ପଠାଇ ଲକ୍ଷାଧିକ ଟଙ୍କାର ମରୁଡ଼ି ସହାୟତା ଲୁଟି ନେଇଛନ୍ତି। ପାଳଲହଡ଼ା ବ୍ଲକ ଅଧୀନରେ ଘଟିଥିବା ଏଭଳି କିଛି ଘଟଣା ଏବେ ପଦାକୁ ଆସିବା ପରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛିି।
ସୂଚନା ଅନୁସାରେ, ୨୦୧୬/୨୦୧୭ ମସିହାରେ ପାଳଲହଡ଼ା ତହସିଲ ଅନ୍ତର୍ଗତ କୁଞ୍ଜାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନସ୍ଥ ରୋହିଲା ପଂଚାୟତ ସମେତ ହଂସଳା ରାଜସ୍ୱ ଗ୍ରାମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମରୁଡ଼ି ଘୋଷଣା କରାଯାଇଥିଲା। ହଂସଳା ଗ୍ରାମର ୯୧ ଜଣ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚିହ୍ନଟ କରାଯାଇଥିଲା। ଚିହ୍ନଟ ପରେ ନିଜ ନିଜର ବ୍ୟାଙ୍କ୍‌ ଏକାଉଣ୍ଟ ନମ୍ବର ସହ ଜମି ପଟାର ଅବିକଳ ନକଲ, ଆଧାର ନମ୍ବର, ପାସ୍‌ବୁକ୍‌ର ନକଲ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମରୁଡ଼ି ସହାୟତା ପାଇବା ଆଶାରେ ଚାଷୀ ଏହି ସବୁ କାଗଜପତ୍ର ଦାଖଲ କରିଥିଲେ। କେତେକ ଚାଷୀ ସହାୟତା ପାଇଥିବା ବେଳେ ଅଧିକାଂଶ ଚାଷୀ ସହାୟତା ପାଇନଥିଲେ। ଚିହ୍ନଟ ହେବା ପରେ ସରକାର କାହିଁକି ସହାୟତା ଦେଲେ ନାହିଁ ସେ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଥିଲେ। ଏହାକୁ ନେଇ ଖୋଳତାଡ଼ କରିବା ପରେ ବିଚିତ୍ର ଚିତ୍ର ସାମ୍ନାକୁ ଆସିଥିଲା। ଚାଷୀଙ୍କ ଆକାଉଣ୍ଟ ଜରିଆରେ ଅଣଚାଷୀ ସହାୟତା ରାଶି ହଡ଼ପ କରି ନେଇଥିଲେ। ବଡ଼କଥା ଥିଲା ଯେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଏହି ସହାୟତା ପ୍ରଦାନ କରାଯାଇଥିଲା। ଏହି ଗ୍ରାମର ଦୁହିତା ନାଏକ ପାଂଚବର୍ଷ ତଳେ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କ ନାମରେ ଟଙ୍କା ଉଠାଯାଇଥିଲା। ଜଣେ ସ୍କୁଲ୍‌ ଛାତ୍ରଙ୍କ ନାମରେ ମଧ୍ୟ ଏହି ସହାୟତା ପ୍ରଦାନ କରାଯାଇଥିଲା।

ଯୋଗ୍ୟ ଚାଷୀମାନେ ପାଳଲହଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଘନଶ୍ୟାମ ପିଙ୍ଗୁଆ, ବିନୋଦ ପ୍ରଧାନ, ସୀତା ମହାରଣା, ବଚନ ପ୍ରଧାନ, ହଟକିଶୋର ନାୟକ ସମେତ ୫୦ରୁ ଊର୍ଦ୍ଧର୍୍ୱ ଚାଷୀ ଅଭିଯୋଗ କରିବା ପରେ ଉପଜିଲ୍ଲାପାଳ ଅତିରିକ୍ତ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବଳ ଏହି ପଞ୍ଚାୟତ ନୁହେଁ, କୁଞ୍ଜାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଅନ୍ୟ ପଞ୍ଚାୟତରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ହେଲେ ଗୁମର ଫିଟିବ ବୋଲି ଚାଷୀମାନେ କହିଛନ୍ତି। ଏହି ମରୁଡ଼ି ସହାୟତା ପ୍ରଦାନ ସମୟରେ ପାଳଲହଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା ତହସିଲଦାରଙ୍କ ଦାୟିତ୍ୱରେ ଥିଲେ। ଚାଷୀମାନେ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇଥିବାରୁ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଓ ହଡପ କରିଥିବା ଅଯୋଗ୍ୟ ବ୍ୟକ୍ତି ଛାନିଆଁ ହୋଇଛନ୍ତି।

ସମ୍ବନ୍ଧିତ ଖବର