ଝସକୁ ରିମାଣ୍ଡରେ ଆଣିବ ପୁଲିସ୍‌

ଅନୁଗୁଳ:ବହୁଚର୍ଚ୍ଚିତ କୁଶକିଳା ହତ୍ୟାକାଣ୍ଡର ସିରିଏଲ୍ କିଲର୍‌ ଝସକେତନ ରାଉତ ଓରଫ୍ ଝାରୁ ଓରଫ୍‌ ଝସକୁ ରବିବାର ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି। ଗିରଫ ପରେ ଝସ ଚମ୍ପଟ ମାରିବା ଘଟଣା ସହ ଅନ୍ୟ କେତେକ ସୂଚନା ପୁଲିସକୁ ଦେଇଛି। ତେବେ ଫେରାର ହେବା ପରେ ତାକୁ କେଉଁମାନେ ସହଯୋଗ କରୁଥିଲେ, ସେ ସଂକ୍ରାନ୍ତରେ ଅଧିକ ଜାଣିବା ଲାଗି ଝସକେତନକୁ ୩/୪ ଦିନ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।
ଆଜି ସନ୍ଧ୍ୟାରେ ଅନୁଗୁଳ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ମହାପାତ୍ର କହ‌ିଲେ, ଜମି ବାବଦକୁ ଟଙ୍କା ନେବା ପାଇଁ ନିଜ ଶିଶୁ ମନ୍ଦିରକୁ ଡାକି ଯୋଜନାବଦ୍ଧ ଭାବେ ପଥର ଛେଚି ଲୋକଙ୍କୁ ହତ୍ୟା କରୁଥିବା କୁଶକିଳା ଗ୍ରାମର ଝସକେତନକୁ ୨୦୧୬ ଫେବ୍ରୁଆରି ୧୧ରେ ଗିରଫ କରାଯାଇଥିଲା। ଗତ ମେ ୮ତାରିଖ ଦିନ ୧୧ଟାରେ ହତ୍ୟା ମାମଲାର ଶୁଣାଣି ପାଇଁ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟ ହାଜତରେ ତାକୁ ରଖାଯାଇଥିଲା। ପରିବାର ଲୋକଙ୍କ ସହିତ କଥା ହେବା ପାଇଁ କହି ଓଏପିଏଫ୍ କନଷ୍ଟେବଳ ସୁଦୀପ ନାୟକଙ୍କଠାରୁ ମୋବାଇଲ ଫୋନ୍ ମାଗି ପରିଶ୍ରାଗାରକୁ ଯାଇଥ‌ିଲା। ଆଉ ପରିଶ୍ରାଗାରର ଆଜ୍‌ବେଷ୍ଟସ ଭାଂଗି ଫେରାର ହୋଇଥିଲା। ସେ ସଭାଘର ଦେଇ ବୁଢ଼ୀ ଠାକୁରାଣୀ ଛକରେ ପହଂଚି ଏକ ଅଟୋରିକ୍ସାରେ ସିପିପି ନାଲ୍‌କୋକୁ ଯାଇଥିଲା। ସେଠାରୁ ଏକ ବସ୍ ଯୋଗେ ଭୁବନେଶ୍ବର ପଳାଇଥିଲା। ଭୁବନେଶ୍ବରରୁ କୋଲକାତା ଯାଇଥିଲା। ସେଠାରୁ ପୁଣି ଗୁଜରାଟ, ମହାରାଷ୍ଟ୍ର ଆଦି ରାଜ୍ୟରେ କିଛିଦିନ ଲେଖାଏଁ କଟାଇବା ପରେ ୨ ମାସ ତ‌ଳେ ଓଡ଼ିଶା ଫେରିଥିଲା।

ତେବେ ଅନୁଗୁଳକୁ ନଆସି ସେ ମିଥ୍ୟା ପରିଚୟ ଦେଇ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ରହୁଥିଲା। ନାକଟିଦେଉଳ, ଗରିଆପାଲି, ବି‌େଲଇନାଳି, ରିଆମାଲ ଆଦି ଅଂଚଳକୁ ପ୍ରାୟତଃ ଯା’ଆସ କରୁଥିଲା। ଝସକୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ତା’ର ବ୍ୟାଙ୍କ ଅାକାଉଣ୍ଟ ଓ ଜମିଜମା କାରବାର ଉପରେ ନଜର ରଖିଥିଲା। ଆଉ ଗୋଟିଏ ଟିମ୍ ସୋସିଆଲ ମିଡିଅା ଉପରେ ନଜର ରଖିଥିବା ବେଳେ ଅନ୍ୟ ଏକ ଟିମ୍‌ ରାଜ୍ୟ ବାହାରକୁ ପଠାଯାଇଥିଲା। ଝସ ଗାଁକୁ ଅାସିବା ସମ୍ଭାବନା ଥିବାରୁ ଅନ୍ୟ ଏକ ଟିମ୍‌କୁ ପୁଣି କୁଶକିଳାରେ ଥିବା ତାର ଘର ଓ ସଂପର୍କୀୟଙ୍କ ଉପରେ ନଜର ରଖିବାକୁ ନିୟୋଜିତ କରାଯାଇଥିଲା। ତେବେ ୫ ତାରିଖ ସନ୍ଧ୍ୟାରେ ଝସକେତନ ସାନ୍ତରାପାଲିର କମଳ ମୁଣ୍ଡାଙ୍କ ଘରେ ରହୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏସ୍ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ବରେ ସ୍ପେସାଲ ସ୍କ୍ବାଡ୍‌ର ସାତଜଣିଆ ଟିମ୍ ସାନ୍ତରାପାଲିରେ ଚଢ଼ଉ କରି ସେଠାରୁ ତାକୁ ଗିରଫ କରିଥିଲା। ତା’ପାଖରୁ ଏକ୍ ବାଇକ୍ ମଧ୍ୟ ଜବତ କରାଯାଇଛି। ସାମନ୍ତପାଲିରେ ସେ ନିଜକୁ ତାଲଚେରର ସୁମନ ଦାସ ଓରଫ ମନୋଜ ବୋଲି ପରିଚୟ ଦେଇ ଗାଁ ପିଲାମାନଙ୍କୁ ଟ୍ୟୁସନ ପଢ଼ାଉଥିଲା। ତାକୁ ରିମାଣ୍ଡରେ ଆଣିବା ପରେ ତା’ର ସହଯୋଗୀ, ଜମି ଓ ଟଙ୍କା କାରବାର ଆଦି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯିବ ବୋଲି ଏସ୍‌ପି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଆଇଆଇସି ରମେଶ ବିଶୋଇ, ଅତିରିକ୍ତ ଆଇଆଇସି ଦୀପିକା ବେବି ରଏ, ଜରପଡ଼ା ଆଇଆଇସି ବିନ୍ଦୁବାସିନୀ ବିଶ୍ବାଳ, ଏସ୍ଆଇ ଦୀନକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ।ମୋବାଇଲ୍‌ ଖୋଲିବ ଗୁମର
ଗିରଫ ସମୟରେ ଝସକେତନଠାରୁ ଅନୁଗୁଳ ପୁଲିସ ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ବାଇକ୍ ଜବତ କରିଛି। ଜବତ ବାଇକ୍‌(ଓଡ଼ି ୨୮ଏ-୦୬୯୩)ଟି ଦେବଗଡ଼ର ପ୍ରଫୁଲ୍ଲ ଉଦାବରଙ୍କ ନାମରେ ରହିଥିବା ସରକାରୀ ରେକର୍ଡ ଯାଂଚରୁ ଜଣାପଡ଼ିଛି। ଦୁର୍ଦ୍ଦାନ୍ତ ଝସକେତନ ପାଖରେ ଏହି ବାଇକ୍ କେମିତି ପହଂଚିଲା ? ଏହା ଏକ ଚୋରି ବାଇକ୍ ନା’ ତାକୁ ଲୁଚିବାରେ ସହଯୋଗ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଯୋଗାଇ ଦିଆଯାଇଥିଲା, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସେହିପରି ଝସଠାରୁ ମିଳିଥିବା‌ ମୋବାଇଲ ଫୋନକୁ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ମୋବାଇଲ ଫୋନ୍‌ର କଲ୍ ରେକର୍ଡ ଯାଂଚ ପରେ ଝସକୁ କେଉଁମାନେ ସହଯୋଗ କରୁଥିଲେ, ତାହା ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି। ଗତ ୮ ମାସ ହେଲା ପୁଲିସର ନିଦ ହଜାଇ ଦେଇଥିବା ଝସକୁ ନୂଆ ବର୍ଷ ଆରମ୍ଭରେ ଗିରଫ କରାଯିବା ପରେ ଅନୁଗୁଳ ଜିଲ୍ଲା ପୁଲିସର ମନୋବଳ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର