ଅନୁଗୁଳ: ଟ୍ରଲର ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ, ଚାଳକ ଖାଇଲେ ନିସ୍ତୁକ ମାଡ଼, କ୍ଷତିପୂରଣ ଦାବିରେ ଉତ୍ତେଜନା

ଅନୁଗୁଳ: ନାଲକୋନଗର ଥାନା ଅନ୍ତର୍ଗତ କୁଲାଡ଼ ଛକ ଓ ଏଫସିଆଇ ଛକ ମଝିରେ ଶୁକ୍ରବାର ରାତି ୮ଟାରେ ଟ୍ରଲର ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରଲର ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନେ କ୍ଷତିପୂରଣ ଦାବିକରି ଜାତୀୟ ରାଜପଥ ୫୫କୁ ଅବରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ୫୫ ନଂମ୍ବର ଅନୁଗୁଳରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଟ୍ରଲର (ଆରଜେ ୩୯ଜିଏ ୨୯୫୫) ବିପରୀତ ଦିଗରୁ ଆସୁଥିବା ବାଇକ୍‌(ଓଡି ୧୯ ଜେ ୩୩୪୬)କୁ ଧକ୍କା ଦେଇଥିଲା। ମାନପୁର ଗ୍ରାମର ଅଜୟ ମହାପାତ୍ର ନିଜ ଶ୍ୱଶୁର ଘର ଗତମାରା ଗାଁକୁ ସ୍ତ୍ରୀ ରେବ ମହାପାତ୍ରଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରଲରକୁ କାବୁ କରି ନେଇ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ସେମାନେ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ଲୋକଙ୍କୁ ବୁଝାସୁଝା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଜାରି ରହିଛି।

ସମ୍ବନ୍ଧିତ ଖବର