ଆରଟିଆଇରେ ତଥ୍ୟ ମାଗି ବ୍ଲାକମେଲିଂ:ଜେଲ୍‌ ଗଲେ ଦୁଇ ଯୁବକ

ସୁରକ୍ଷା ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବନଖଣ୍ଡ କର୍ମଚାରୀ

ଅନୁଗୁଳ: ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯିବାକୁ କେନ୍ଦ୍ର କରି ଆଜି ଅନୁଗୁଳ ଡିଭିଜନ ବନଖଣ୍ଡ କାର୍ଯ୍ୟାଳୟରେ ତୁମୁଳକାଣ୍ଡ ଘଟିଛି। ଦୁଇ ଆବେଦନକାରୀଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି କର୍ମଚାରୀ। ମାଡ଼ପିଟ୍‌, ଅସଭ୍ୟ ଭାଷାରେ ଗାଳିଗୁଲଜ୍‌ କରିଥିବା ଅଭିଯୋଗ ଆଣି ଏସ୍‌ପିଙ୍କ ପାଖେ ସୁରକ୍ଷା ମାଗିଛନ୍ତି କାର୍ଯ୍ୟରତ ସମସ୍ତ କର୍ମଚାରୀ। ଅନୁଗୁଳ ଥାନାରେ ଏ ନେଇ ଏସିଏଫ୍‌ ବାସୁଦେବ ନାୟକ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବନ୍ତଳା ଥାନା ପୁରୁଣାଗଡ଼ ମଦନମୋହନପାଟଣାର ଭୋଳେଶ୍ୱର ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ ଓରଫ ପ୍ରସନ୍ନ(୪୧) ଏବଂ ଯୁଧିଷ୍ଠିର ସାମଲଙ୍କ ପୁଅ ଜୀତେନ୍ଦ୍ର ସାମଲ(୨୮)। ଅନୁରୂପ ଭାବେ ଗିରଫ ଦୁଇ ଅଭିଯୁକ୍ତ ବି ତାଙ୍କୁ ଅଫିସ୍‌ ଭିତରେ ମାଡ଼ ମରାଯିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ୍‌ କରାଯାଇଥିବା ପାଲଟା ଅଭିଯୋଗ ଆଣିଛନ୍ତି।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରସନ୍ନ ଓ ଜିତେନ୍ଦ୍ର ସୂଚନା ଅଧିକାର ଆଇନ ବଳରେ ବନ ବିଭାଗର କାର୍ଯ୍ୟ ସଂପର୍କରେ ତଥ୍ୟ ମାଗିଥିଲେ। ତଥ୍ୟ ପ୍ରଦାନ କରିବାର ଅବଧି ଏକ ମାସ ଥିବା ବେଳେ ଦୁହେଁ କିନ୍ତୁ ଆଜି ସକାଳେ ଅଫିସ୍‌ରେ ପହଞ୍ଚିଥିଲେ। ଏସିଏଫ୍‌ ଶ୍ରୀ ନାୟକଙ୍କୁ ଭେଟି ତଥ୍ୟ ଦେବା ପରିବର୍ତେ ମାସକୁ ୨୫ହଜାର ଟଙ୍କା ଦେବାକୁ କହିଥିଲେ। ଏଥିରେ ରାଜି ନହେବାରୁ ମୋ’ କଲର ଭିଡ଼ି ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଶ୍ରୀ ନାୟକ ଅଭିଯୋଗରେ ଦର୍ଶାଇଛନ୍ତି।

କେବଳ ସେତିକି ନୁହେଁ, ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସି କାହିଁକି ପାଟିତୁଣ୍ଡ କରୁଛ ବୋଲି କହିବାରୁ ଉଭୟ ବରିଷ୍ଠ କିରାଣି ରଜନୀକାନ୍ତ ମିଶ୍ର ଓ ବଳଭଦ୍ର ନାୟକଙ୍କୁ ମାଡ଼ ମାରିଥିଲେ। ତେବେ ସମସ୍ତ କର୍ମଚାରୀ ମିଳିତ ଭାବେ ଉଭୟଙ୍କୁ କାବୁ କରି ଅନୁଗୁଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲା। ଏପଟେ ସମସ୍ତ କର୍ମଚାରୀ କାମ ବନ୍ଦ କରି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ସୁରକ୍ଷା ମାଗିଥିଲେ। ଏସ୍‌ପି ମିତ୍ରଭାନୁ ମହାପାତ୍ର ଅନୁପସ୍ଥିତ ଥିବାରୁ ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦାଙ୍କୁ ଭେଟି ଘଟଣା ସଂପର୍କରେ କହିବା ସହ ଅନୁଗୁଳ ଥାନାରେ ଏସିଏଫ୍‌ ଶ୍ରୀ ନାୟକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଅପରପକ୍ଷରେ ପ୍ରସନ୍ନ ଓ ଜିତେନ୍ଦ୍ର ବି ଥାନାରେ ଏସିଏଫ୍‌ ଶ୍ରୀ ନାୟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ସୂଚନା ଅଧିକାର ଦରଖାସ୍ତ ଫର୍ମ ବ୍ୟକ୍ତିଗତ ଭାବେ ଦେବା ଲାଗି ଆସିଥିବା ବେଳେ ଏସିଏଫ୍‌ ଶ୍ରୀ ନାୟକ ଓ କିଛି କର୍ମଚାରୀ ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିବା ଦୁହେଁ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଅଭିଯୋଗକୁ ଷ୍ଟେସନ୍‌ ଡାଏରି କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର