ଅନୁଗୁଳ: କନିଅର ଫଳ ଖାଇ ୧୬ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅନନ୍ତପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ ଗୁରୁବାର ଅପରାହ୍ନରେ କନିଅର ଫଳ ଖାଇ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। କନିଅର ଫଳ ଖାଇବାର କିଛି ସମୟ ପରେ ପିଲାମାନଙ୍କର ମୁଣ୍ଡ ବୁଲାଇ ଥିଲା। ଦେଖୁ ଦେଖୁ ଜଣେ ପରେ ଜଣେ ଅସୁସ୍ଥ ହେବାରେ ଲାଗିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଯଥାଶୀଘ୍ର ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ହସ୍ପିଟାଲ ପକ୍ଷରୁ ପିଲାମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ମଧ୍ୟ ଏମାନଙ୍କୁ ଆହୁରି ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଉପଖଣ୍ଡ ଚିକିତ୍ସାଧିକାରୀ କହିଛନ୍ତି। ସେ କହିଛନ୍ତି, ପିଲାମାନଙ୍କ ରକ୍ତ ପରୀକ୍ଷା କରି ସ୍ୱାସ୍ଥ୍ୟ ଯାଞ୍ଚ କରାଗଲେ ଆହୁରି ଭଲ ହୋଇପାରିବ। ତେଣୁ ୭୦ କିଲୋମିଟର ଦୂରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଉଛି।

ଅସୁସ୍ଥ ପିଲାମାନେ ପ୍ରଥମ ଓ ୨ୟ ଶ୍ରେଣୀର ଛାତ୍ରଛାତ୍ରୀ। ମଧ୍ୟାହ୍ନ ଭୋଜନ ବିରତି ବେଳେ ସେମାନେ ସ୍କୁଲ ହତାରେ ଥିବା କନିଅର ଗଛକୁ ଚଢ଼ି ଫଳ ଖାଇଥିଲେ। ଅସୁସ୍ଥ ଛାତ୍ରଛାତ୍ରୀମାନେ ହେଲେ ଆୟୁଷ୍ମାନ ସାହୁ, ପ୍ରତିୟ ମେଚ୍ଛା, ସ୍ୱାଗତିକା , ପ୍ରିତମ ପାତ୍ର, ଆକାଶ ବେହେରା, ସୋଫିଆ ବେହେରା, ପୁପୁନ ସାହୁ, ଶାନ୍ତନୁ କୁମାର, ଦେବ ନାରାୟଣ ବେହେରା, ଅପରାଜିତା ମିର୍ଦ୍ଧା, ମନିଷା ବାରିକ, ସୂର୍ଯ୍ୟକିରଣ ବେହେରା, ରାହୁଲ ବେହେରା, ରୂପାଲି ବେହେରା, ସୁନିଲ ମୁଖୀ, ସୁଚିତ୍ରା ବେହେରା ଓ ସରସ୍ୱତୀ ପ୍ରଧାନ।

ପିଲାମାନେ ଅସୁସ୍ଥ ହେବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ଦେଖାଯାଇଛି। ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ମାଗଣାରେ ପୋଷାକ, ପୁସ୍ତକ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ପିଲାମାନେ କେମିତି କନିଅର ଫଳ ଖାଇଲେ ଏ ନେଇ ପ୍ରଶ୍ନ ହୋଇଛି। ପୁଣି ଏମିତି ବି ଆଲୋଚନା ହେଉଛି ଯେ, କନିଅର ଫଳ ବିଷାକ୍ତ ବୋଲି ପିଲାମାନଙ୍କୁ ଶିକ୍ଷା ଦିଆଯାଇ ନାହିଁ କି?

ସମ୍ବନ୍ଧିତ ଖବର