ଅନୁଗୁଳ ଏସ୍‌ପି ଦେଲେ ସୂଚନା-ମଧ୍ୟପ୍ରଦେଶ ଫେରିଯିବ ବାଘୁଣି ‘ସୁନ୍ଦରୀ’

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ମଣିଷ ଶିକାର କରୁଥିିବା ବାଘୁଣୀ ‘ସୁନ୍ଦରୀ’ ପୁଣି ଥରେ ତା’ର ଜନ୍ମମାଟିକୁ ଫେରିଯିବ। ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି। ସୁନ୍ଦରୀକୁ ଆଉ ୨ ଦିନ ଅର୍ଥାତ ସେପ୍ଟେମ୍ବର ୧୫ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍‌ ଆସୁଛନ୍ତି।

ସୂଚନାଯୋଗ୍ୟ ବାଘୁଣୀ ‘ସୁନ୍ଦରୀ’ର ପାଟିରେ ବୁଧବାର ମଣିଷ ରକ୍ତ ଲାଗିଛି। ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତୀବାରି ଗାଁର ମହିଳା କୈଳାଶୀ ସାଏ ପୋଖରିରେ ଗାଧୋଉଥିବା ବେଳେ ବାଘୁଣୀ ଝାମ୍ପି ନେଇଛି। ଗାଁ ଲୋକଙ୍କ କହିବା ଅନୁସାରେ କୈଳାଶୀ ଗାଧୋଉଥିବା ବେଳେ ବାଘୁଣୀ ପଛପଟରୁ କୁଦା ମାରି ଝାମ୍ପି ବଣ ଭିତରକୁ ଟାଣି ନେଇ ଯାଇଥିଲା।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ହାତୀବାରି ବିଟ୍‌ ହାଉସ୍‌ରେ ନିଅାଁ ଲଗାଇ ଦେବା ସହ ଭଙ୍ଗାରୁଜା କରିଥିଲେ। ପୁଲିସ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉତ୍ତେଜନାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର