ପୂର୍ବ ଶତ୍ରୁତାରୁ ଆକ୍ରମଣ : ଯୁବକଙ୍କ ଫାର୍ଶା ଚୋଟରେ ଶ୍ୱଶୁର-ବୋହୂ ଗୁରୁତର

ଆକ୍ରମଣକାରୀକୁ ଧରି ଛେଚିଲେ ଗ୍ରାମବାସୀ

ବନ୍ତଳା : ବନ୍ତଳା ଥାନା କଲେଇପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅପରାହ୍ଣରେ ତୁମୁଳକାଣ୍ଡ ଘଟିଛି। ଜଣେ ଦୁର୍ଦାନ୍ତ ଯୁବକଙ୍କ ଫାର୍ଶା ଚୋଟରେ ଶ୍ୱଶୁର,ବୋହୂ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ମାଡ଼ରେ ଆକ୍ରମଣକାରୀ ଯୁବକ ମଧ୍ୟ ଆହତ ହୋଇଛନ୍ତି। ବନ୍ତଳା ପୁଲିସ ସେଠାରେ ପହଞ୍ଚି ଆହତ ଯୁବକକୁ ଉଦ୍ଧାର କରିଥିଲା। ପୁଲିସ ଆହତ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରିବା ସହ ଆକ୍ରମଣରେ ବ୍ୟବହୃତ ଫାର୍ଶାକୁ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, କଲେଇପଦା ଗ୍ରାମ ନିକଟ ନଡ଼କା ନାଳସ୍ଥିତ ଉଠା ଜଳସେଚନ ପ୍ରକଳ୍ପକୁ ଯାଇଥିବା ବିଦ୍ୟୁତ ତାର ହରିହର ମୁଖି(୩୮)ଙ୍କ ଘର ଉପରେ ଯାଇଛି। ପଡ଼ୋଶୀ ଶ୍ୟାମ ମୁଖି (୬୦)ଙ୍କ କହିବା ଯୋଗୁ ତାଙ୍କ ଘର ଉପରେ ବିଦ୍ୟୁତ୍‌ ତାର ଯାଇଥିବା ହରିହର ସନ୍ଦେହ କରୁଥିଲା। ଏହି ଘଟଣାକୁ ନେଇ ହରିହର ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ଏକ ଫାର୍ଶା ନେଇ ଶ୍ୟାମଙ୍କ ଘରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ପାଖରେ ଥିବା ଶ୍ୟାମଙ୍କ ବୋହୂ ରଞ୍ଜୁ (୩୮) ଶ୍ୱଶୁରଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଫାର୍ଶା ଚୋଟରେ ଶ୍ୟାମ ଓ ରଞ୍ଜୁଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରଞ୍ଜୁଙ୍କ ବାମ ହାତ ଆଙ୍ଗୁଠି କଟି ଯାଇଥିଲା। କେତେକ ଗ୍ରାମବାସୀ ଏହା ଦେଖି ହରିହରକୁ କାବୁ କରି ନିର୍ଧୁମ ଛେଚିବାରୁ ସେ ମଧ୍ୟ ଆହତ ହୋଇଥିଲା। ଖବର ପାଇ ବନ୍ତଳା ପୁଲିସ ସେଠାରେ ପହଞ୍ଚି ହରିହରକୁ ଉଦ୍ଧାର କରିଥିଲା। ଆହତ ୩ ଜଣଙ୍କୁ ଚିକିତ୍ସା ପାଇଁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର